ଜୁନାଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଚାରବାହାଲ ସ୍ଥିତ ଏସ.ଏନ୍.ଏସ୍. ବିଦ୍ୟାପୀଠ ପରିସରରେ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ ଗୁରୁଜୀମାନେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ କହିଥିଲେ ଯେ, ‘ଗାନ୍ଧୀଜୀଙ୍କ ଅହିଂସା ଓ ସତ୍ୟ ମାର୍ଗ ଏବଂ ଶାସ୍ତ୍ରୀଜୀଙ୍କ ଅସାଧାରଣ ସରଳତା ଓ ଦେଶପ୍ରେମ ଆଜିର ପିଢ଼ି ପାଇଁ ପ୍ରେରଣାର ଉତ୍ସ।’ ଏହି ମହାପୁରୁଷମାନଙ୍କ ଆଦର୍ଶ ଓ ଶିକ୍ଷାକୁ କେବଳ ପୁସ୍ତକ ମଧ୍ୟରେ ସୀମିତ ନ ରଖି, ନିଜ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମାପ୍ତ କରାଯାଇଥିଲା।
