ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : ଗୁରୁବାର ଅନୁଷ୍ଠିତ ଝାମୁଯାତ୍ରା ସରିବା ପରେ ଶୁକ୍ରବାର ଯାତ୍ରା ପଡ଼ିଆର ବିଭିନ୍ନ ସ୍ଥାନରେ ଆବର୍ଜନା ଜମି ପରିବେଶ ଅସ୍ୱଚ୍ଛ ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଗାନ୍ଧୀ ଜୟନ୍ତୀ ଅବସରରେ ପରିବେଶ ସ୍ୱଚ୍ଛତା ଓ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍ଥାନୀୟ ଜେ.ଏମ୍.ଏଫ୍.ସି. ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଜିଷ୍ଟ୍ରେଟ ଡକ୍ଟର ତାରିଣୀ ପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଫେଇ ଅଭିଯାନରେ କୋର୍ଟ କର୍ମଚାରୀଙ୍କ ସମେତ ସ୍ଥାନୀୟ ପୋଲିସ କର୍ମଚାରୀ, ସାମ୍ବାଦିକ, ଆଇନଜୀବୀ, ଅଧ୍ୟାପକ ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ। କୋର୍ଟ ପରିସରରୁ ଆରମ୍ଭ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ମା’ ମାଣିକେଶ୍ୱରୀ ମନ୍ଦିର ଓ ଭୈରବ ମନ୍ଦିର ସମ୍ମୁଖ ଅଞ୍ଚଳରେ ପଡ଼ିଥିବା ବିଭିନ୍ନ ଆବର୍ଜନାକୁ ସଫା କରାଯାଇଥିଲା। ଝାମୁଯାତ୍ରା ଭଳି ବଡ଼ ଧାର୍ମିକ ଓ ସାମାଜିକ ଆୟୋଜନ ପରେ ସାଧାରଣ ସ୍ଥାନକୁ ସ୍ୱଚ୍ଛ ରଖିବା ସହ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ଏହି ଅଭିଯାନ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ସଫେଇ କାର୍ଯ୍ୟକ୍ରମରେ କୋର୍ଟ କର୍ମଚାରୀ ବରିଷ୍ଠ କିରାଣୀ ଅଶୋକ ସାହୁ, ପ୍ରହଲ୍ଲାଦ ସୁନାନୀ, ଜିମ୍ମି ବେହେରା, ସ୍ୱଦେଶ ପାଟଯୋଷୀଙ୍କ ସମେତ ଆଇନଜୀବୀ ମନୋରଞ୍ଜନ ନାଏକ ଅଂଶଗ୍ରହଣ କରିଥିଲେ। ସେହିପରି ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା, କୀର୍ତ୍ତି ଚନ୍ଦ୍ର ଦୁର୍ଗା, କୈଳାସ ଚନ୍ଦ୍ର ଛତ୍ରିଆ, ହିତେସ ନାଏକ, ଅଧ୍ୟାପକ ବବ୍ରୁବାହାନ ବୁଦ୍ଧିଆଙ୍କ ସମେତ ସ୍ଥାନୀୟ ପୋଲିସ କର୍ମଚାରୀ ଓ ଯୁବଗୋଷ୍ଠୀ ସଫେଇ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ସଫେଇ ଅଭିଯାନ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ସାମୂହିକ ଭାବେ ପରିବେଶକୁ ସ୍ୱଚ୍ଛ ରଖିବାର ଏକ ସକାରାତ୍ମକ ବାର୍ତ୍ତା ଦେଇଛି।
