କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉତ୍ସାହ ଓ ସଚେତନତାର ସହିତ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସ୍ତରରେ ଗ୍ରାମବାସୀଙ୍କ ସହଭାଗିତା ବୃଦ୍ଧି, ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ସହ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ନେଇ ଏହି ଗ୍ରାମସଭାରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମସଭାରେ ଯୋଗୀନ୍ଦ୍ରପୁର ସରପଞ୍ଚ ଝୁନୁ ପଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସ୍ୱଚ୍ଛତା ବ୍ୟବସ୍ଥା, ଗ୍ରାମର ସମସ୍ୟା ଓ ଏହାର ସମାଧାନ ଦିଗ ନେଇ ଆଲୋଚନା ହୋଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନନ୍ତ କୁମାର ବେହେରା ଗ୍ରାମସଭାର ଉଦ୍ଦେଶ୍ୟ, ସ୍ୱଚ୍ଛତାର ଗୁରୁତ୍ୱ ଓ ସରକାରୀ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ସମ୍ପର୍କରେ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମ ଓ ପଞ୍ଚାୟତ ଅଞ୍ଚଳକୁ ସ୍ୱଚ୍ଛ ରଖିବା, ଅନାବଶ୍ୟକ ଭାବେ ଏଣେତେଣେ ଅଳିଆ ଆବର୍ଜନା ନ ପକାଇବା, ଘର ଓ ପରିବେଶର ପରିଚ୍ଛନ୍ନତା ବଜାୟ ରଖିବା, ସାଧାରଣ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ରକ୍ଷା କରିବା ଏବଂ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଏମ୍ବିକେ, ସିଆରପି, ଅଙ୍ଗନୱାଡି କର୍ମୀଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ। ସ୍ୱଚ୍ଛତା କେବଳ ପ୍ରଶାସନ କିମ୍ବା ପଞ୍ଚାୟତର ଦାୟିତ୍ୱ ନୁହେଁ, ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସକ୍ରିୟ ଭୂମିକା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ବିଶେଷକରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଏମ୍ବିକେ ଓ ସିଆରପିମାନଙ୍କ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ପରିମଳ ସମ୍ପର୍କିତ ସଚେତନତାକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଶିଶୁମାନଙ୍କ ମଧ୍ୟରେ ପରିଚ୍ଛନ୍ନତା, ବ୍ୟକ୍ତିଗତ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ନିଜ ଭୂମିକା ଉପରେ ଆଲୋକପାତ କରିଥିଲେ। ଗ୍ରାମସଭାରେ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ମତାମତ ରଖାଯାଇଥିବା ବେଳେ ଏହାକୁ ପଞ୍ଚାୟତ ସ୍ତରରେ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ନେଇ ଆଲୋଚନା ହୋଇଥିଲା। ଗ୍ରାମସଭା ଭଳି ଗଣତାନ୍ତ୍ରିକ ମଞ୍ଚ ମାଧ୍ୟମରେ ସାଧାରଣ ଲୋକେ ନିଜ ଅଞ୍ଚଳର ସମସ୍ୟା, ଆବଶ୍ୟକତା ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ରଖିବାର ସୁଯୋଗ ପାଇଥିବାରୁ ଏଭଳି କାର୍ଯ୍ୟକ୍ରମ ଗ୍ରାମୀଣ ବିକାଶ ପାଇଁ ଗୁରୁତ୍ୱ ବହନ କରୁଥିବା ମତ ପ୍ରକାଶ ପାଇଥିଲା। ଶେଷରେ ଯୋଗୀନ୍ଦ୍ରପୁର ପଞ୍ଚାୟତକୁ ଅଧିକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର କରିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବା ସହ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।
