ସଇଁତଲାକୁ ଏନ୍ଏସି ମାନ୍ୟତା ଦାବିରେ ୩୫ କି.ମି. ପଦଯାତ୍ରା

ସଇଁତଲାକୁ/କ୍ରାନ୍ତିକ୍ଷେତ୍ର : ବଲାଙ୍ଗୀର ଜିଲ୍ଲାର ସଇଁତଲାକୁ ଏନ୍ଏସି ମାନ୍ୟତା ପ୍ରଦାନ ଦାବିରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ବିଶାଳ ପଦଯାତ୍ରା। ସଇଁତଲାରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩୫ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ଅଞ୍ଚଳବାସୀ। ସଇଁତଲାକୁ ଏନ୍ଏସି ମାନ୍ୟତା ଦାବିରେ ଗତ ସେପ୍ଟେମ୍ବର ମାସରୁ ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ଜାରି ରହିଛି। ଗଣଧାରଣା ୩୦ ଦିନରେ ପହଞ୍ଚିଥିଲେ ମଧ୍ୟ ଦାବି ପ୍ରତି ପ୍ରଶାସନର ପଦକ୍ଷେପ ନ ମିଳିବାରୁ ଆଜି ଗାନ୍ଧୀ ଜୟନ୍ତୀରେ ଅହିଂସା ମାର୍ଗରେ ଏହି ପଦଯାତ୍ରା ଆରମ୍ଭ କରାଯାଇଛି। ସକାଳ ପ୍ରାୟ ୫ଟାରୁ ସଇଁତଲା ଅଞ୍ଚଳର ବହୁ ଯୁବକ ଏକତ୍ରିତ ହୋଇ ପଦଯାତ୍ରାରେ ବାହାରିଥିଲେ। ସଇଁତଲା ସରପଞ୍ଚଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ବିଭିନ୍ନ ସଂଗଠନ ଓ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ସାମିଲ ହୋଇଛନ୍ତି ପଦଯାତ୍ରୀମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବେ। ସଇଁତଲାକୁ ଏନ୍ଏସି ମାନ୍ୟତା ପ୍ରଦାନ କରିବାକୁ ଏହି ଦାବିପତ୍ର ମାଧ୍ୟମରେ ଦାବି ଜଣାଇବେ ଆନ୍ଦୋଳନକାରୀ। ଗାନ୍ଧୀ ଜୟନ୍ତୀରେ ଅହିଂସାର ପଥରେ ସଇଁତଲାବାସୀଙ୍କ ଏହି ପଦଯାତ୍ରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *