ପୋଖରୀରେ ବୁଡ଼ି ୧୪ ବର୍ଷୀୟା ନାବାଳିକା ମୃତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅନ୍ତର୍ଗତ କିଆପଦର ପଞ୍ଚାୟତର ସାପମୁଣ୍ଡି ଗ୍ରାମ ରାଏଲାପଡ଼ାରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ଜୟସେନ ମାଝୀଙ୍କ ଝିଅ ଦ୍ରୌପଦୀ ମାଝୀ। ସୂଚନା ଅନୁସାରେ, ଦ୍ରୌପଦୀ ନିଜର ଦୁଇ-ତିନି ଜଣ ସାଙ୍ଗଙ୍କ ସହ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ସେ ପାଣିରେ ବୁଡ଼ି ଯାଇଥିଲେ। ଘଟଣା ଦେଖି ସାଙ୍ଗମାନେ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କିଛି ବିଳମ୍ବ ପରେ ଦ୍ରୌପଦୀଙ୍କୁ ଜୀବିତ ଅବସ୍ଥାରେ ପାଣିରୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଦ୍ରୌପଦୀଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ କର୍ଲାପାଟ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ କର୍ଲାପାଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲାକା ସୂଚନା ଦେଇଛନ୍ତି। ନାବାଳିକାଙ୍କ ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *