କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧର କର୍ମୀ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ ସବଡିଭିଜନ ଅଧୀନ କଣ୍ଟାମାଳ, ଘଣ୍ଟାପଡ଼ା ଓ ଘୁଲୁଘୁଲାପଦର ଗ୍ରିଡ୍ ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦିନକୁ ଦିନ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଟାଟା ପାୱାରର ବିଦ୍ୟୁତ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଗତ ଦୁଇଦିନ ଧରି ଅଣସନରେ ରହିଥିବା ଅଭିଯୋଗ ହେଉଥିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତ୍ରୁଟି ଦେଖାଦେଲେ ମଧ୍ୟ ତାହାର ତୁରନ୍ତ ମରାମତି ହୋଇପାରୁନାହିଁ ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ସାଧାରଣ ଭାବେ ଘରୋଇ ବିଦ୍ୟୁତ ଲାଇନ୍ର ଫିଉଜ୍ କଟିଗଲେ ମଧ୍ୟ ଉପଭୋକ୍ତାମାନେ ଟାଟା ପାୱାରର ଟୋଲ୍ଫ୍ରି ନମ୍ବରରେ ଅଭିଯୋଗ କରୁଥିବା ସତ୍ତ୍ୱେ ଅନେକ ସମୟରେ ତାହାର ସମାଧାନ ପାଇଁ କର୍ମଚାରୀ ପହଞ୍ଚୁନଥିବାରୁ ଲୋକେ ଦୀର୍ଘ ସମୟ ଧରି ବିଦ୍ୟୁତ ବିହୀନ ଅବସ୍ଥାରେ ରହୁଛନ୍ତି। ଫଳରେ ଦୈନନ୍ଦିନ ଜୀବନ ସହିତ ବ୍ୟବସାୟ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ବିଭିନ୍ନ ଜରୁରୀ କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଉପଭୋକ୍ତାମାନେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିଦ୍ୟୁତ ବିଲ୍ ସଂଗ୍ରହ କରିବାରେ ଟାଟା ପାୱାର ଯେତିକି ତତ୍ପରତା ଦେଖାଉଛି, ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଓ ତ୍ରୁଟି ଦେଖାଦେଲେ ତୁରନ୍ତ ମରାମତି କରିବାରେ ସେହି ତତ୍ପରତା ଦେଖାଯାଉନାହିଁ। ବିଦ୍ୟୁତ ସେବା ଏକ ଅତ୍ୟାବଶ୍ୟକ ସେବା ହୋଇଥିବା ବେଳେ ମରାମତି କର୍ମଚାରୀଙ୍କ ଅଣସନ ଯୋଗୁଁ ଯଦି ସେବା ବାଧାପ୍ରାପ୍ତ ହୁଏ, ତେବେ ଏହାର ବିକଳ୍ପ ବ୍ୟବସ୍ଥା କରିବା ଦାୟିତ୍ୱ ବିଦ୍ୟୁତ ବିଭାଗ ଓ ସଂପୃକ୍ତ କମ୍ପାନୀର ବୋଲି ଉପଭୋକ୍ତାମାନେ ମତ ପ୍ରକାଶ କରିଛନ୍ତି। ବିଶେଷ କରି ବର୍ତ୍ତମାନ ବର୍ଷା ଋତୁ ଶେଷ ହେବା ସହ ଚାଷୀମାନେ ଧାନ ଚାଷ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ବେଳେ ବିଦ୍ୟୁତ ସମସ୍ୟା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। କଣ୍ଟାମାଳ, ଘଣ୍ଟାପଡ଼ା ଓ ଘୁଲୁଘୁଲାପଦର ଗ୍ରିଡ୍ ଅଧୀନ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଓ ଗଭୀର ନଳକୂପଗୁଡ଼ିକର ବିଦ୍ୟୁତ ଟ୍ରାନ୍ସଫର୍ମରର ଫିଉଜ୍ କଟିଯାଇଥିବାରୁ ଅନେକ ସ୍ଥାନରେ ଜଳସେଚନ ବ୍ୟବସ୍ଥା ବନ୍ଦ ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ନଥିବାରୁ ମୋଟର ଚାଲୁନଥିବା ଏବଂ ଜମିକୁ ପାଣି ଯାଇପାରୁନଥିବାରୁ ଧାନ ଫସଲ ଶୁଖିବା ଆରମ୍ଭ କରିଥିବା ନେଇ ଚାଷୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଚାଷ ସମୟରେ ଏଭଳି ବିଦ୍ୟୁତ ବିଭ୍ରାଟ ଜାରି ରହିଲେ ଆଗାମୀ ଦିନରେ ଧାନ ଫସଲ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ବୋଲି ଚାଷୀମାନେ କହିଛନ୍ତି। ତେଣୁ ଉପଭୋକ୍ତା ଓ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ କଣ୍ଟାମାଳ, ଘଣ୍ଟାପଡ଼ା ଓ ଘୁଲୁଘୁଲାପଦର ଗ୍ରିଡ୍ ଅଧୀନ ଅଞ୍ଚଳରେ ତୁରନ୍ତ ମରାମତି କର୍ମଚାରୀଙ୍କୁ ନିୟୋଜିତ କରି ବିଦ୍ୟୁତ ସେବା ସ୍ୱାଭାବିକ କରିବା ସହ ଉଠା ଜଳସେଚନ ଓ ଗଭୀର ନଳକୂପର ଟ୍ରାନ୍ସଫର୍ମର ଫିଉଜ୍ ମରାମତି କରିବା ପାଇଁ ଟାଟା ପାୱାର ଅଧିକାରୀଙ୍କ ନିକଟରେ ଦାବି ହୋଇଛି। ଏଥିସହିତ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣାରେ ହସ୍ତକ୍ଷେପ କରି ବିଦ୍ୟୁତ ସେବା ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଚାଷୀଙ୍କ ଧାନ ଫସଲ ଜଳାଭାବରେ ନଷ୍ଟ ନହୁଏ, ସେଥିପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
