ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ବିଜୁ ଏକ୍ସପ୍ରେସ୍ୱେର ତିନିଟି ପ୍ରମୁଖ ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ ଦାବିରେ ଜନ ସଂଗ୍ରାମ ସମିତି ପକ୍ଷରୁ ଚାରିଦିନ ଧରି ଚାଲିଥିବା ଗଣଧାରଣା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଗତକାଲି ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଦାବିର ତଥ୍ୟାନୁସାରେ ଆବଶ୍ୟକ ଟେକ୍ନିକାଲ ଯାଞ୍ଚ ଓ ସ୍ଥାନ ପରିଦର୍ଶନ ପାଇଁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପଠାଯାଇଥିଲା।ମଙ୍ଗଳବାର ଟେକ୍ନିକାଲ ଟିମ୍ ତିନୋଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭୌଗୋଳିକ ସ୍ଥିତି, ରାସ୍ତାର ଅବସ୍ଥା ଓ ଅଣ୍ଡରପାସ୍ ନିର୍ମାଣର ସମ୍ଭାବନା ସମ୍ପର୍କରେ ଫିଲ୍ଡ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ପରେ ଆବଶ୍ୟକ ପ୍ରକ୍ରିୟା ଶେଷ କରାଯାଇ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଥିଲା। ସ୍ଥାନ ପରିଦର୍ଶନ ସମୟରେ ଭବାନୀପାଟଣା ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ନନ୍ଦନ କୁମାର କର, ଧର୍ମଗଡ଼ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମାଝୀ, ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବପ୍ରକାଶ ବେହେରା ଏବଂ ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟରେ ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜଙ୍କ ସମେତ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଟେକ୍ନିକାଲ ଟିମ୍କୁ ଦାବି ହୋଇଥିବା ସ୍ଥାନଗୁଡ଼ିକର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।ପ୍ରଶାସନର ଏହି ପଦକ୍ଷେପ ପରେ ଦୀର୍ଘଦିନ ଧରି ଅଣ୍ଡରପାସ୍ ଦାବି କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ତେବେ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ଏବଂ ପ୍ରସ୍ତାବିତ ତିନିଟି ସ୍ଥାନରେ କାମ କେଉଁ ପର୍ଯ୍ୟାୟରେ ଆଗକୁ ବଢ଼ିବ, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
