ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁର୍ଲାପଡ଼ାର ଅନ୍ତ୍ୟୋଦୟ ପରିବାରଗୁଡ଼ିକ ପାଇଁ ସରକାରୀ ଆବାସ ଯୋଜନା ଆଶାର ନୂଆ କିରଣ ଆଣିଛି। ଏହି ପଡ଼ାର ୧୪ଟି ଆଦିବାସୀ ପରିବାରର ପ୍ରାୟ ୪୫ ଜଣ ବସବାସ କରୁଥିବା ବେଳେ ଅଧିକାଂଶ ପରିବାରର ମୁରବିଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା।ତୁର୍ଲାପଡ଼ାରେ ଅନେକ ପରିବାରର ପୁରୁଷ ମୁରବିଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇବା ପରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ପଡ଼ାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଟିମ୍ରେ ତହସିଲଦାର ଚନ୍ଦନ କୁମାର ନାଏକ, ଏଇ ଚିତ୍ତରଞ୍ଜନ ଜେନା, ରାଜସ୍ୱ ନିରୀକ୍ଷକଙ୍କ ସମେତ ଜଳ ଓ ପରିମଳ ବିଭାଗ ଏବଂ ଅନ୍ୟ ବିଭାଗର ଅଧିକାରୀମାନେ ସାମିଲ ଥିଲେ।ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସହ ଏନେଇ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ପରିବାରଗୁଡ଼ିକୁ ସାମିଲ କରିବା ପଦକ୍ଷେପ ନେଇଥିଲା। ଏହାର ଅଂଶ ଭାବେ ପ୍ରାୟ ୨ ଏକର ସରକାରୀ ଜମିରେ ‘ଅନ୍ତ୍ୟୋଦୟ ନଗର’ ନାମରେ ଏକ ନୂତନ ବସତି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ୧୩ଟି ପରିବାରକୁ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ପ୍ରଶାସନ ପକ୍ଷରୁ ନୂତନ ବସତିରେ ପୋଖରୀ, ଧରଣୀଶାଳା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ, ପାଇଖାନା ଓ ରୋଷେଇ ଘର ସୁବିଧା ସହ ଗାଈ ଓ ଛେଳି ପାଇଁ ଗୁହାଳ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ପଦକ୍ଷେପ ତୁର୍ଲାପଡ଼ାର ଆଦିବାସୀ ପରିବାରଗୁଡ଼ିକର ଜୀବନଯାପନରେ ସୁଧାର ଆଣିବା ସହ ମୌଳିକ ସୁବିଧା ପହଞ୍ଚାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଏବିଡିଓ ବିଜୟ କୁମାର ନାଏକ, ଏପିଡି ଆରଏଚ୍ ଅମୂଲ୍ୟ ବେହେରା, ଏପିଡି ସ୍କିମ୍ ବିଭାଗର ବିମ୍ବାଧର ସାହୁ, ଭିବିଜିରାମ ଜିଏମ୍ସି ପାର୍ବତୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଡ. ମାନସ ରଞ୍ଜନ ତ୍ରିପାଠୀ, ଆରଏଚ୍ ବିପିସି ମଧୁ ସାହୁ, ଏଇ ଚିତ୍ତରଞ୍ଜନ ଜେନାଙ୍କ ସମେତ ନିକୁଞ୍ଜ ନାଏକ, ଅଲେଖ ସା, ରାଜମୋହନ ଶବର, ଦିନେଶ ପାନକା, ଜୟରାମ ସାହୁ, ଲଳିତ ମଙ୍ଗରାଜ, ସଞ୍ଜୀବ ନିଆଲ, ଜୟନ୍ତ ସିଂ, ଜୟକୃଷ୍ଣ ସାହୁ ଓ ତାପସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
