ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଇଥିଲାବେଳେ କଲ୍ୟାଣସିଂହପୁର ବ୍ଲକରେ ଏହାର ଜୋରଦାର ପ୍ରଭାବ ପଡ଼ିଛି। ବନ୍ଦକୁ ସଫଳ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ମୁଖ୍ୟ ବଜାର ଛକରେ ଏବଂ ଶିକର ପାଇ ମୁଖ୍ୟ ବଜାର ଛକ ରେ କଂଗ୍ରେସ, ସିପିଆଇ(ଏମଏଲ) ଲିବରେସନ, ସମେତ ଇଣ୍ଡିଆ ମେଣ୍ଟର କର୍ମୀ ଓ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ। “ଭୋଟ ବଞ୍ଚାଅ-ସମ୍ବିଧାନ ବଞ୍ଚାଅ-ଦେଶ ବଞ୍ଚାଅ” ସ୍ଲୋଗାନ ଦେବା ସହ ଏମଏସପି ଆଇନ ପ୍ରଣୟନ କର, ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଅ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦାବି କରାଯାଇଥିଲା। ଏହି ବନ୍ଦରେ କଂଗ୍ରେସ ଯୁବ ନେତା ପ୍ରଶାନ୍ତ କୌଶଲ୍ୟା, ବ୍ଲକ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ କଂଗ୍ରେସ ସଭାପତି ଚିନ୍ତାଲି ନାଗେଶ୍ୱର ରାଓ ସମେତ ବିଭିନ୍ନ ବାମ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିଲେ। ଜରୁରୀ କାମ ତଥା ମେଡିକାଲ କାମରେ ଯାଉଥିବା ଲୋକମାନଙ୍କୁ ଛାଡ଼ ଦିଆଯାଉଥିବା ବେଳେ ବନ୍ଦ ଯୋଗୁଁ ରାୟଗଡ଼ା କଲ୍ୟାଣସିଂହପୁର ମୁଖ୍ୟ ସଡ଼କ ରାସ୍ତା ଏବଂ କଲ୍ୟାଣସିଂହପୁର ଲାଞ୍ଜିଗଡ, ଭବାନୀପାଟଣା ଯାନବାହନ ଚଳାଚଳରେ ସମ୍ପୂର୍ଣ୍ଣ ରୁପେ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା।ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ କଲ୍ୟାଣସିଂହପୁର ଓ ଶିକରପାଇ ବିଭିନ୍ନ ପ୍ରମୁଖ ସ୍ଥାନରେ ପୁଲିସ ପକ୍ଷରୁ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା। ସେହିପରି ବ୍ଲକର ୧୪ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହାର ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି।
