କୋକସରାରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ 

କୋକସରା/କ୍ରାନ୍ତିକ୍ଷେତ୍ର : ବିଭିନ୍ନ ଦାବି ନେଇ ଗୁରୁବାର ଇଣ୍ଡିଆ ମେଣ୍ଟର ଆହ୍ବାନ କ୍ରମେ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଏହା ବେଶ୍ ପ୍ରଭାବଶାଳୀ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏହି ବନ୍ଦ ପାଳନ କରାଯାଇଛି। ଗୁରୁବାର ସକାଳ ୬ଟା ସମୟରୁ କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ଲକ୍ଷ୍ମଣ ଶବରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ କୋକସରା ଥାନା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ସିଇସିଙ୍କ ଇସ୍ତଫା, ଖଣି ଆଇନ ରଦ୍ଦ ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଆଦି ପ୍ରମୁଖ ଦାବିକୁ ନେଇ ଏହି ପ୍ରତିବାଦ କରାଯାଇଥିଲା। ଆନ୍ଦୋଳନ ସମୟରେ ଦଳୀୟ କର୍ମୀମାନେ ପିକେଟିଂ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରଖିଥିଲେ। ବନ୍ଦ ପ୍ରଭାବରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିଲା। ତେବେ ଜନସାଧାରଣଙ୍କ ସହଯୋଗ କ୍ରମେ କୋକସରାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ସଫଳ ହୋଇଥିବାବେଳେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା। ଏହି ବନ୍ଦ ପାଳନ କାର୍ଯ୍ୟକ୍ରମରେ ବ୍ଳକ ସଭାପତିଙ୍କ ସମେତ ମହିଳା ନେତ୍ରୀ ଫୁଲତୋଲା ଖମାରୀ, ଉପସଭାପତି ଟିକିଚନ୍ଦ୍ର ଧମାଝୀ, ସମ୍ପାଦକ ଅଭି ପଟ୍ଟନାୟକ, ରାଜୀବ ଗାନ୍ଧୀ ସଂଗଠନର ସଭାପତି ଅରୁଣ ମାଝୀ, ଦ୍ରୋଣ ନାଏକ, ଗୋକୁଳ ବାରିକ, ଆମପାଣି ଜୋନ ସଭାପତି ନୃପରାଜ ନାଏକ, ଲକ୍ଷ୍ମଣ ବାଗ, ଅଜୟ କୁମାର ପଣ୍ଡା, ଭୁଷଣ ମହାନନ୍ଦ, ପରାଶର ବେମାଲ, ବନମାଳୀ ପାଣିଗ୍ରାହୀ, ଗୀତାଞ୍ଜଳି ଗୋପାଳ, ସବିତା ଗୋପାଳ, ଶୈଳେନ୍ଦ୍ରି ଗୋପାଳ, ଦୀପସୁନ୍ଦର ଶବର, ବିଦ୍ୟାଧର ଶବର, ନିମାଇ ଚାରଣ ଧମାଝୀ, ରୁକଧର ପୋଡ଼, ପରମେ ଶଗଡିଆ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *