ନିତାଇ ଚୈତନ୍ୟ କଳାକାର ସଂଘର ନୂଆଖାଇ ଭେଟଘାଟ

କୋକସରା/କ୍ରାନ୍ତିକ୍ଷେତ୍ର : ସଂକୀର୍ତ୍ତନ କେବଳ କିଛି ବାଦ୍ୟର ତାଳ ଏବଂ ନୃତ୍ୟର ଛନ୍ଦ ନୁହେଁ, ଏହା ହେଉଛି ମାନବ ଆତ୍ମାର ପରମାତ୍ମାଙ୍କ ସହିତ ମିଳନର ଏକ ଅପୂର୍ବ ମାଧ୍ୟମ। ଯେତେବେଳେ ମୃଦଙ୍ଗ, କରତାଳ ଏବଂ ହରିନାମର ସ୍ୱର ଏକାଠି ହୁଏ, ସେତେବେଳେ ବାହ୍ୟ ଜଗତର କୋଳାହଳ ଦୂରେଇ ଯାଇ ହୃଦୟରେ ଏକ ଦିବ୍ୟ ଶାନ୍ତି ଅନୁଭୂତ ହୋଇଥାଏ। ଗୁରୁବାର କୋକସରା ବ୍ଲକ ବଡ଼କେନ୍ଦୁଗୁଡା ସ୍ଥିତ ଝାରବନ୍ଧ କାଳେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ନିତାଇ ଚୈତନ୍ୟ କଳାକାର ସଂଘ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା ଏଭଳି ମତ ପ୍ରକାଶ ପାଇଛି। ସଂଘ ସଭାପତି ଧର୍ମାନନ୍ଦ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସଂଘର ରାଜ୍ୟ ସଂଯୋଜକ ଦୁଷ୍ମନ୍ତ ପୁରୋହିତ, ସୁଶୀଲ କୁମାର ପଣ୍ଡା, ଧର୍ମବ୍ରତ ପଣ୍ଡା, କୃତିବାସ ଶବର, ରାଜେନ୍ଦ୍ର ନାଏକ, ଥବିର ପ୍ରସାଦ ବିଶି ଓ କୀର୍ତ୍ତନ ଗୁରୁ ଜୟରାମ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଧୁନିକ ନାଚ ଓ ଗୀତର ପ୍ରଭାବ ମଧ୍ୟରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା, କଳାକାରମାନେ ଶୃଙ୍ଖଳିତ ଭାବେ ସଂଗଠିତ ହେବା ଏବଂ ବରିଷ୍ଠ କଳାକାରମାନଙ୍କୁ ସରକାରଙ୍କ କଳାକାର ଭତ୍ତା ଯୋଜନାରେ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହିତ ସଂକୀର୍ତ୍ତନ ପରମ୍ପରାକୁ ସୁରକ୍ଷିତ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ପୂର୍ବରୁ ସଫଳତାର ସହ ସମ୍ପନ୍ନ ହୋଇଥିବା ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞର କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ସମାଜ ଓ ଅଞ୍ଚଳର ଖବରକୁ ଲୋକଲୋଚନକୁ ଆଣୁଥିବା ସ୍ଥାନୀୟ ସାମ୍ବାଦିକ ଜଗଦୀଶ ନାଏକ, ହିରଣ୍ୟ ବେହେରା, ଚକ୍ରଧର ବେଶ୍ରା, ତୁଲାରାମ ବେହେରା ଓ ମଙ୍ଗରାଜ ବେହେରାଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା। ସଂଘର କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଗ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ପଞ୍ଚକ ପୋଢ଼ ମଞ୍ଚ ପରିଚାଳନା କରିଥିଲେ। ସଂଘର ଉପସଭାପତି ସୁରେଶ ହଂସ, ସମ୍ପାଦକ ସୁଦର୍ଶନ ବେହେରା, ସହ ସମ୍ପାଦକ ବାଲ୍ମୀକି ଧଙ୍ଗଡ଼ାମାଝୀ, କାର୍ଯ୍ୟକାରୀ ସଭ୍ୟ ବିଜୟ କୁମାର ପଣ୍ଡା, ଖୁସିରାମ ନାଏକ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ଭାଟି, ଦିଲୀପ କୁମାର ଶବର, ପୂର୍ଣ୍ଣଚନ୍ଦ୍ର ଦାସ ଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂକୀର୍ତନ ପ୍ରେମୀ, ଭକ୍ତ, କଳାକାର ଓ ସାମାଜିକ କର୍ମକର୍ତ୍ତା ଯୋଗଦେଇଥିଲେ। ନୂଆଁଖାଇ ଜୁହାର ଓ ଭେଟ ସହ ଝାରବନ୍ଧ ଶିବ ମନ୍ଦିର ପରିସରରେ ଭାଇଚାରା ଓ ସାମାଜିକ ଏକତାର ନିଆରା ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *