ଡାଲଗୁମା ଗାଁରେ ବେଆଇନ ମଦ ବିକ୍ରୀ ବନ୍ଦ ଦାବି

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମରେ ଚାଲିଥିବା ବେଆଇନ ମଦ କାରବାର ବିରୋଧରେ ଗ୍ରାମବାସୀ ଏକଜୁଟ ହୋଇଛନ୍ତି। ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ଦାବିରେ ଶୁକ୍ରବାର ଗ୍ରାମର ଶତାଧିକ ମହିଳା, ପୁରୁଷ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କୋକସରା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ସେମାନେ ଥାନାରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁସାରେ, ଡାଲଗୁମା ଗ୍ରାମରେ ଦୀର୍ଘ ଦିନରୁ ବେଆଇନ ଭାବରେ ମଦ ବିକ୍ରି ହୋଇଆସୁଛି। ଯାହାଫଳରେ ଗ୍ରାମର ସାମାଜିକ ପରିବେଶ ଦିନକୁ ଦିନ ଅଧିକ ଅବକ୍ଷୟ ଆଡ଼କୁ ଗତି କରୁଛି। ମଦ୍ୟପାନ ଯୋଗୁଁ ଗାଁରେ ଅଶାନ୍ତି, ପାରିବାରିକ କଳହ ଏବଂ ଗଣ୍ଡଗୋଳ ବୃଦ୍ଧି ପାଉଛି। ଏହାର କୁପ୍ରଭାବ ସିଧାସଳଖ ଯୁବପିଢ଼ୀଙ୍କ ଉପରେ ପଡୁଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବିଶେଷ କରି ମହିଳା, ବରିଷ୍ଠ ନାଗରିକ ଏବଂ ଶିଶୁମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଶୁକ୍ରବାର ଗ୍ରାମବାସୀମାନେ ଏକ ଶୋଭାଯତ୍ରାରେ ଆସି କୋକସରା ଥାନାର ଏସ୍.ଆଇ ଡି. ମୋହନଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଗାଁରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବେଆଇନ ମଦ କାରବାରରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *