କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ଗ୍ରାମରେ ବେଆଇନ ମଦ କାରବାର ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଗ୍ରାମକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଲକ୍ଷ୍ୟରେ ଶନିବାର ଶତାଧିକ ମହିଳା ଓ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକଜୁଟ ହୋଇ ଏକ ବିଶାଳ ନଗର ପରିକ୍ରମା କରିଛନ୍ତି। ହାତରେ ଠେଙ୍ଗା ଧରି ମଦ ବିରୋଧୀ ବିଭିନ୍ନ ନାରା ଦେଇ ମହିଳାମାନେ ରାସ୍ତାକୁ ଓହ୍ଲାଇବା ସହ ବେଆଇନ ମଦ ବେପାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗତକାଲି ଡାଲଗୁମା ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଏସ୍ଏଚଜି ମହିଳାମାନେ କୋକସରା ଥାନାରେ ପହଞ୍ଚି ଗାଁରେ ଚାଲିଥିବା ବେଆଇନ ମଦ କାରବାର ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ଆଜି ମହିଳାମାନେ ଗାଁରେ ଶୋଭାଯାତ୍ରା କରି ନିଜର ପ୍ରତିବାଦକୁ ଅଧିକ କଡ଼ାକଡ଼ି କରିଛନ୍ତି। ମହିଳାଙ୍କ ଏଭଳି ଦୃଢ଼ ଆନ୍ଦୋଳନ ଦେଖି ଗ୍ରାମରେ ବେଆଇନ ମଦ ବିକ୍ରି କରୁଥିବା ଅସାଧୁ ବେପାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଡାଲଗୁମା ଗ୍ରାମରେ ଦୀର୍ଘ ଦିନରୁ ବେଆଇନ ଭାବରେ ମଦ ବିକ୍ରି ହୋଇଆସୁଛି। ଏହାର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ଦିନକୁ ଦିନ ଅବକ୍ଷୟ ଆଡ଼କୁ ଗତି କରୁଛି। ମଦ୍ୟପାନ ଯୋଗୁଁ ପ୍ରତିଦିନ ପାରିବାରିକ କଳହ, ଗଣ୍ଡଗୋଳ ଏବଂ ଅଶାନ୍ତି ବୃଦ୍ଧି ପାଉଥିବାବେଳେ ଏହାର ସିଧାସଳଖ ନକାରାତ୍ମକ ପ୍ରଭାବ ଯୁବପିଢ଼ୀଙ୍କ ଉପରେ ପଡ଼ୁଛି। ଏପରିକି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ବିଶେଷ କରି ମହିଳା, ବରିଷ୍ଠ ନାଗରିକ ଏବଂ ଶିଶୁମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଗ୍ରାମରେ ଆଉ ମଦ ବିକ୍ରିକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇ ଗ୍ରାମବାସୀ ଏହି ଅଭିଯାନ ଜାରି ରଖିଛନ୍ତି। ତୁରନ୍ତ ଏ ଦିଗରେ କଠେର ପଦକ୍ଷେପ ଗ୍ରହଣ କରି ବେଆଇନ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପୋଲିସ ଓ ଅବକାରୀ ବିଭାଗକୁ ଗ୍ରାମବାସୀ ଦୃଢ଼ ଦାବି ଜଣାଇଛନ୍ତି।
