ଗୋବର୍ଦ୍ଧନପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬-୨୭’ ଅନୁଷ୍ଠିତ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬-୨୭’ ଗୋବର୍ଦ୍ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗୋବର୍ଦ୍ଧନପୁର ଆଞ୍ଚଳିକ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଯୋଗଦେଇ କୁନି କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ହୃଷୀକେଶ ନାୟକ, ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀ, କଦମଗୁଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ସନ୍ତୋଷ ମାଝୀ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ୍ ସଭାପତି ସୁଶୀଲ ବାଗ, ଉପସଭାପତି କ୍ଷମାନିଧି ମହାଖୁଡ଼, ପିଡବ୍ଲୁଡି ମିଡ଼ିଆ ଆସୋସିଏସନ ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ ଓ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ। ଏହି ଅବସରରେ ଉତ୍ତମ ଶିକ୍ଷାଦାନ ଓ ସେବା ପାଇଁ ଗୋବର୍ଦ୍ଧନପୁର ବିଦ୍ୟାଳୟର ଏଫ୍ଏଲ୍ଏନ୍ ଶିକ୍ଷୟିତ୍ରୀ ନଳିନୀକାନ୍ତି ମାଝୀ, ଆମଝିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଲକ୍ଷ୍ମଣ କୁମାର ବିଶ୍ୱାଳ ଓ ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପରେଶ କୁମାର ଗହୀରଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଗୋବର୍ଦ୍ଧନପୁର କ୍ଲଷ୍ଟରରୁ ପଦୋନ୍ନତି ପାଇ ଅନ୍ୟ କ୍ଲଷ୍ଟରରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଥିବା ବଦ୍ରିନାରାୟଣ ନାଗ, ରଞ୍ଜନ କୁମାର ବୁଦ୍ଧିଆ, ଗୌର ମାଝୀ, କବିରାଜ ଶବର ଏବଂ ହରେକୃଷ୍ଣପୁର କ୍ଲଷ୍ଟରରେ ନୂତନ ସିଆରସିସି ଭାବେ ଯୋଗଦେଇଥିବା ବିଭୁତି ଭୂଷଣ ହରିଜନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମହୋତ୍ସବରେ କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଓ ପରିଚାଳନା କରିଥିଲେ। ସମସ୍ତ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା, ସୃଜନଶୀଳତା ଓ କଳାନୈପୁଣ୍ୟର ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ଭୋଇ, ପରେଶ କୁମାର ଗହୀର, କୁନି କଳାକାର ହିତେଶ ପଧାନ ଓ ଛାୟା ଛତର ପରିଚାଳନା କରିଥିଲେ। ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଫ୍ଏଲ୍ଏନ୍ ଛାତ୍ରଛାତ୍ରୀମାନେ ସୁମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *