କୋକସରା/କ୍ରାନ୍ତିକ୍ଷେତ୍ର : ହ୍ୟୁମ୍ୟାନ୍ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍, ଇଣ୍ଡିଆ (ଏଚ୍ଆରପିସିଆଇ) ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ମେ’ଫେୟାର ହୋଟେଲରେ ଏକ ସ୍ପେଶାଲ୍ କନକ୍ଳେଭ୍ ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସମାଜସେବା, ମାନବାଧିକାର ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶ ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ’ ସହିତ ସମ୍ମାନଜନକ ‘ଡକ୍ଟରେଟ୍ ଉପାଧି’ ପ୍ରଦାନ କରାଯାଇଛି। ଏହି କ୍ରମରେ କୋକସରା ବ୍ଲକ ଲଡୁଗାଁ ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ନିଜର ଦୀର୍ଘଦିନର ନିଃସ୍ୱାର୍ଥପର ସମାଜସେବା ଏବଂ ବ୍ୟବସାୟିକ କ୍ଷେତ୍ରରେ କୃତିତ୍ୱ ପାଇଁ ଏହି ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଲଡୁଗାଁ ସମେତ କୋକସରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଗାରିମାମୟ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ରାଜ୍ୟର ଅନେକ ମାନ୍ୟଗଣ୍ୟ ଅତିଥି, ପ୍ରମୁଖ ସମାଜସେବୀ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ।
