ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ‘ପ୍ରକାଶ ୩.୦’ କାର୍ଯ୍ୟକ୍ରମ ଅଧୀନରେ ଏକଦିବସୀୟ ଅଭିମୁଖୀକରଣ ଓ ଫଳାଫଳ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାର ମୂଲ୍ୟାୟନ ଓ ଫଳାଫଳ ସମୀକ୍ଷାକୁ ଗୁରୁତ୍ୱ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଶିକ୍ଷାର ଅଗ୍ରଗତି ଓ ଫଳାଫଳର ଉପଯୋଗିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ରୁଷିଆ ମେହେର, ବିଶ୍ୱନାଥପୁରର ନୋଡାଲ ହେଡମାଷ୍ଟର ସୁଜାତା ମଲିକ ଏବଂ ‘ପ୍ରକାଶ ୩.୦’ର ଜିଲ୍ଲା ରିସୋର୍ସ ପର୍ସନ୍ ସରସ୍ୱତୀ ସାହୁ ଓ ବିନୋଦ ବାତ୍ରା ଯୋଗଦେଇଥିଲେ। ଶିକ୍ଷାର ଗୁଣବତ୍ତା ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ପାଇଁ ଶିକ୍ଷକ ଓ ଶିକ୍ଷା ପ୍ରଶାସକଙ୍କ ମଧ୍ୟରେ ସମନ୍ୱୟ ଏବଂ ନିୟମିତ ଫଳାଫଳ ସମୀକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷାର ମାନୋନ୍ନତି ଓ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ସାମୂହିକ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋକପାତ କରାଯାଇଥିଲା।
