ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର: ‘ପଞ୍ଚାୟତ ଯୁବ ଶକ୍ତି'(ପି.ଓ୍ବାଇ. ଏସ୍) ପକ୍ଷରୁ ଆରମ୍ଭ କରାଯାଇଥିବା ‘ଜବ୍ କାର୍ଡ କର ଅଭିଯାନ’ ସଫଳତାର ସହ ସମ୍ପନ୍ନ ହୋଇଛି। ପଞ୍ଚାୟତବାସୀଙ୍କୁ ଜବ୍ କାର୍ଡ ସମ୍ପର୍କରେ ସଚେତନ କରିବା ସହ ଏହା ସହ ଜଡ଼ିତ ବିଭିନ୍ନ ସମସ୍ୟା, ପ୍ରଶ୍ନ ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗାଁରେ ‘ପଞ୍ଚାୟତ ଯୁବ ଶକ୍ତି'(ପି.ଓ୍ବାଇ.ଏସ୍) ପକ୍ଷରୁ ଏହି ଅଭିଯାନ ଚଳାଯାଇଥିଲା। ସଭାପତି ଦିବ୍ୟ କୁମାର ନାଏକଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ଜବ୍ କାର୍ଡ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ସମସ୍ୟା ଜାଣିବା ସହ ଲୋକଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ ପାଇଁ ପ୍ରୟାସ କରିଥିଲେ।ଗ୍ରାମାଞ୍ଚଳର ଲୋକମାନେ ସରକାରୀ ଯୋଜନା ଓ ନିଜର ଅଧିକାର ସମ୍ପର୍କରେ ଅବଗତ ହେବା ସହ ଜବ୍ କାର୍ଡ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ସଚେତନ ହେବା ଏହି ପଦକ୍ଷେପର ଅନ୍ୟତମ ଲକ୍ଷ୍ୟ ଥିଲା। ‘ପଞ୍ଚାୟତ ଯୁବ ଶକ୍ତି’ର ଏହି ଅଭିଯାନ ପଞ୍ଚାୟତ ସ୍ତରରେ ଜନସଚେତନତା ବୃଦ୍ଧି ଏବଂ ଲୋକଙ୍କ ସମସ୍ୟାକୁ ଚିହ୍ନଟ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହା ମାଧ୍ୟମରେ ପଞ୍ଚାୟତକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମବାସୀଙ୍କ ଅଂଶଗ୍ରହଣ ବଢ଼ାଇବାର ଆଶା ରଖାଯାଇଛି।
କିଆପଦର ଗ୍ରାମ ପଞ୍ଚାୟତର ବିକାଶ ଓ ଜନସାଧାରଣଙ୍କ ଅଧିକାର ସୁରକ୍ଷା ଦିଗରେ ପଞ୍ଚାୟତ ଯୁବ ଶକ୍ତିର ଏହି ପ୍ରୟାସକୁ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଦେଖାଯାଉଛି।
