ମଦମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳାଙ୍କ ମେଳି

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଅଞ୍ଚଳର ମହିଳାମାନେ ଦୃଢ଼ ସଂକଳ୍ପ ନେଇଛନ୍ତି। ମଙ୍ଗଳବାର ଦିନ ତଲାଗାଁ ସ୍ଥିତ ବଡ଼ପୋଡ଼ାଗୁଡ଼ା ଧାନ ମଣ୍ଡି ପରିସରରେ ପଞ୍ଚାୟତର ୧୨ ଖଣ୍ଡ ଗ୍ରାମର ମହିଳାମାନଙ୍କୁ ନେଇ ଏକଜୁଟ୍ ବୈଠକ ଅନୁଷ୍ଠିତ ହୋଇଛି। ବର୍ତ୍ତମାନ ପଞ୍ଚାୟତର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଦେଶୀ, ବିଦେଶୀ ଏବଂ ବେଆଇନ ହାତରନ୍ଧା ମଦ ବିକ୍ରି ଅବାଧରେ ଚାଲିଥିବା ଯୋଗୁଁ ପରିବେଶ ଅଶାନ୍ତ ହୋଇପଡ଼ିଛି। ମଦ୍ୟପାନ ପ୍ରଭାବରେ କିଶୋର ଓ ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ବିଶେଷକରି ପରିବାରର ମୁଖିଆ ବା ପୁରୁଷମାନେ ମଦ୍ୟପାନ କରିବା କାରଣରୁ ପ୍ରତିଦିନ ଘରେ ଅଶାନ୍ତି, ପରିବାର କଳହ ଏବଂ ମାରପିଟ୍ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଗ୍ରାମଗୁଡ଼ିକରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମହିଳାମାନେ ଆଜି ଏକାଠି ହୋଇ କିଭଳି ନିଜ ଗ୍ରାମ ଏବଂ ସମଗ୍ର ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରାଯିବ, ସେନେଇ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ ବେଆଇନ ମଦ କାରବାର ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୂର୍ବତନ ସରପଞ୍ଚ ଜନେକ ନାଏକ, ଯମୁନା ମାଝୀ, ମୁକ୍ତା ମାଝୀ, ମାଳତି ରାଉତ, ରେମତି ନାଏକ, ଲଷ୍ମୀ ବେମାଲ, ଘୋଷୟାଣୀ ନାଏକ, ବେଲମତି ସୁନା, ଲଷ୍ମୀ ପୁଝାରି ପ୍ରମୁଖଙ୍କ ସମେତ ବଡ଼ପୋଡ଼ାଗୁଡ଼ା, ଭାଲିଆଯୋର, ରଏନଗୁଡା, ତଲାଗାଁ, ସର୍ଗିଗୁଡା, ଦାବ୍ରିଗୁଡା ସମେତ ୧୨ ଖଣ୍ଡ ଗ୍ରାମର ଶତାଧିକ ମହିଳା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *