କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଳବାର ସ୍କୁଲ ପରିଚାଳନା କମିଟି (ଏସ୍ଏମସି) ପକ୍ଷରୁ ବିଇଓ ଏବଂ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି ଏବଂ ଅନେକ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ତେଣୁ ଯଥାଶୀଘ୍ର ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା ପାଇଁ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅପରପକ୍ଷରେ, ବିଦ୍ୟାଳୟର ସରକାରୀ ଜମିର ଏକ ବଡ଼ ଅଂଶ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ବାରା ବେଆଇନ ଭାବେ ଜବରଦଖଲ ହୋଇ ରହିଥିବା ଅଭିଯୋଗ ହୋଇଛି। ଜମି ଜବରଦଖଲ ଯୋଗୁଁ ନୂତନ ଶ୍ରେଣୀଗୃହ ନିର୍ମାଣରେ ସମସ୍ୟା ସୃଷ୍ଟି ହେବା ସହ ପିଲାମାନଙ୍କ ଖେଳକୁଦ, ଶାରୀରିକ ବିକାଶ ଓ ଦୈନନ୍ଦିନ ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଏଣୁ ସ୍କୁଲ ଜମିକୁ ତୁରନ୍ତ ଚିହ୍ନଟ କରି ଜବରଦଖଲମୁକ୍ତ କରିବା ପାଇଁ ତହସିଲଦାର ଚୌଡଗଙ୍ଗ ପ୍ରଧାନଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ସ୍କୁଲ ପରିଚାଳନା କମିଟିର ସଭାପତି ହୃଷୀ ନାଏକ, ସରପଞ୍ଚ ଇଶରାମ ସୁନାନୀ, କନିଷ୍ଠ ବଗର୍ତ୍ତି, କଣ୍ଠ ରାଉତ ସମେତ ଅନ୍ୟାନ୍ୟ ସଦସ୍ୟ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।
