କୋକସରା/କ୍ରାନ୍ତିକ୍ଷେତ୍ର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପ୍ରେସ୍ କେବଳ ସୂଚନା ଦେବାର ମାଧ୍ୟମ ନୁହେଁ, ବରଂ ଏହା ସମାଜର ଦର୍ପଣ ଏବଂ ଜନସାଧାରଣଙ୍କ ସ୍ୱର। ଯେତେବେଳେ ସମାଜରେ ଅନ୍ୟାୟ, ଅନୀତି କିମ୍ବା ଅବହେଳା ଘଟେ, ସେତେବେଳେ ସାମ୍ବାଦିକମାନଙ୍କ ଲେଖନୀ ଓ କ୍ୟାମେରା ସତ୍ୟକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି, ଆହ୍ୱାନ ଏବଂ ସଙ୍କଟକୁ ସାମ୍ନା କରି ନିଷ୍ଠାର ସହ ନିଜର ଦାୟିତ୍ୱ ପାଳନ କରୁଛନ୍ତି ଗଣମାଧ୍ୟମର ପ୍ରତିନିଧି। ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ପ୍ରତିଟି ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିକୁ ଆଣିବାରେ ସେମାନଙ୍କର ଅବଦାନ ଅତୁଳନୀୟ। ସୋମବାର କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ(କେଜେୟୁ) ପକ୍ଷରୁ କୋକସରା ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡ଼ାକବଙ୍ଗଳାଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲୀଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ବିଡ଼ିଓ ଡ଼ଃ ହିମାଞ୍ଚଳ ମାଝୀ ବିଶିଷ୍ଟ ଅତିଥି, ଅଧ୍ୟାପକ ସଞ୍ଜୟ ପୁରୋହିତ ମୁଖ୍ୟବକ୍ତା, କୋକସରା ତହସିଲଦାର ଚୌଡଗଙ୍ଗ ପ୍ରଧାନ, ଉପର ଇନ୍ଦ୍ରାବତୀ ବାମ କେନାଲ ଅଧିକ୍ଷଣ ଯନ୍ତ୍ରୀ ପ୍ରଣୟ ପ୍ରଧାନ, କୋକସରା ଥାନା ଅଧିକାରୀ ଡମ୍ବରୁଧର ବରତିଆ, କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରସାନ୍ତ କୁମାର ବାଘ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ କୀର୍ତ୍ତନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମିଥ୍ୟା ସୂଚନା ବିରୁଦ୍ଧରେ ସତ୍ୟର ଲଢ଼େଇ, ଆଜିର ପ୍ରେସ୍ର ବଡ଼ ଆହ୍ୱାନ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ। କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା ସ୍ବାଗତ ଭାଷଣ ରଖିଥିଲେ। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଙ୍ଗତ୍ ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଓ ସାମ୍ବାଦିକ ରାହାସ ବିହାରି ବେହେରାଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଆସାମ ରାଜ୍ୟର +୨ ବିଦ୍ୟାଳୟରେ ସାମିଲ ହୋଇଥିବା ଅଧ୍ୟାପକ ସଞ୍ଜୟ ପୁରୋହିତଙ୍କ ଲିଖିତ ଭୂଗୋଳ ପୁସ୍ତକ ଏହି ଅବସରରେ ଉନ୍ମୋଚିତ କରାଯାଇଥିଲା। ପରେ ସମାଜ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ନି ଯୋଦ୍ଧା ରାଧେଶ୍ୟାମ ପ୍ରଧାନୀ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଏବଂ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ହିରଣ୍ୟ ବେହେରା ସଂଯୋଜନା କରିଥିଲାବେଳେ ରଘୁମଣି ପୁଝାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ଜଗଦୀଶ ନାଏକ, ବିଜୟ କୁମାର ପଣ୍ଡା, ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ଗଜିନ୍ଦ୍ର ନାଗ, ଦେବେନ୍ଦ୍ର ସାଗର, ଦୁଷ୍ମନ୍ତ ଗହୀର, ମଙ୍ଗରାଜ ବେହେରା, ଧର୍ମେନ୍ଦ୍ର ଦାସ, କୋଦଣ୍ଡ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ।
