ଚପୁରିଆରେ ଜିଲ୍ଲାସ୍ତରୀୟ ବୈରାଗୀ ବୈଷ୍ଣବ ସମାଜର ମହାସଭା

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : ସାମାଜିକ ଏକତା, ଶିକ୍ଷାଗତ ଉନ୍ନତି ଓ ପରମ୍ପରାର ସୁରକ୍ଷାକୁ ଆଧାର କରି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପୁରିଆ ଗ୍ରାମସ୍ଥିତ ଜଳେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ବୈରାଗୀ ବୈଷ୍ଣବ ସମାଜର ଏକ ମହାସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସମାଜର ଇଷ୍ଟଦେବ ବାଲାଜୀ ସ୍ୱାମୀଙ୍କ ସାମୂହିକ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ମହାସଭାରେ କଳାହାଣ୍ଡି ଜିଲ୍ଲା ବୈଷ୍ଣବ ସମାଜର ସଭାପତି ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟପାଟଣା ବ୍ଲକ ସଭାପତି ଉଦ୍ଧବ ଦାସ, କଲମପୁର ବ୍ଲକ ସଭାପତି ନୃସିଂହ ଦାସ, ଲାଞ୍ଜିଗଡ଼ ବ୍ଲକ ସଭାପତି ସୁରେଶ ଚନ୍ଦ୍ର ଦାସ, ଏକାଦଶପଲ୍ଲୀ ସଭାପତି ଜଗବନ୍ଧୁ ଦାସ ଓ ଲଡୁଗାଁର ରୁଦ୍ର ପ୍ରସାଦ ଦାସଙ୍କ ସମେତ ବିଭିନ୍ନ ବ୍ଲକର ସଭାପତିମାନେ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସଭାରେ ବୈରାଗୀ ବୈଷ୍ଣବ ସମାଜର ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ ରୀତିନୀତି ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏଥିସହ ସମାଜର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସ୍ଥିତିରେ ଉନ୍ନତି ଆଣିବା, ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଏକତା ଓ ସଂସ୍କାରର ଭାବନାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ପରମ୍ପରା ଓ ସାମାଜିକ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ସମୟୋପଯୋଗୀ ପରିବର୍ତ୍ତନ ମାଧ୍ୟମରେ ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ମତପ୍ରକାଶ ପାଇଥିଲା। ଏହି ମହାସଭାର ଆୟୋଜନରେ ଚପୁରିଆ ବୈଷ୍ଣବ ବୈରାଗୀ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଗୋଲାମୁଣ୍ଡା ବ୍ଲକ ସଭାପତି ଶ୍ରୀନିବାସ ଦାସ ଉପସ୍ଥିତ ସମସ୍ତ ଅତିଥି, କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଭାର ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *