ରାଜନୈତିକ ଚାପରେ ବ୍ଲକ ପ୍ରଶାସନ ନିରବ, ବଦଳି ସତ୍ତ୍ୱେ ଗାଦି ଛାଡ଼ୁନାହାନ୍ତି ଯନ୍ତ୍ରୀ

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ଜିଲ୍ଲା ପ୍ରଶାସନଙ୍କ ବଦଳି ନିର୍ଦ୍ଦେଶକୁ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ପ୍ରଣତୀ ସାହୁଙ୍କୁ ନୂତନ କାର୍ଯ୍ୟସ୍ଥଳୀରେ ଅବସ୍ଥାପିତ କରାଯାଇନଥିବା ଅଭିଯୋଗ ହୋଇଛି। ରାଜନୈତିକ ଚାପରେ ବ୍ଲକ ପ୍ରଶାସନ ନିରବ ରହିଥିବା ବେଳେ ବଦଳି ନିର୍ଦ୍ଦେଶ ସତ୍ତ୍ୱେ ନିଜ ପଦବିରେ ରହି ଗାଦି ମାଡ଼ିବସିଛନ୍ତି କନିଷ୍ଠ ଯନ୍ତ୍ରୀ। ଏଭଳି ଘଟଣାକୁ ନେଇ ପାପଡ଼ାହାଣ୍ଡି ବ୍ଲକରେ ପ୍ରଶାସନିକ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପରିଷଦ ପକ୍ଷରୁ ଗତ ଅକ୍ଟୋବର ୯ ତାରିଖରେ ଆଦେଶ ସଂଖ୍ୟା ୫୩୬୬/୨୦୨୬ରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଚାରିଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଆଦେଶ ଜାରି ହୋଇଥିଲା। ଏଥିରେ ପାପଡ଼ାହାଣ୍ଡି ବ୍ଲକରେ କାର୍ଯ୍ୟରତ ପ୍ରଣତୀ ସାହୁଙ୍କୁ ନବରଙ୍ଗପୁର ବ୍ଲକକୁ ବଦଳି କରାଯାଇଛି। ଉକ୍ତ ଆଦେଶରେ ବଦଳି ତୁରନ୍ତ କାର୍ଯ୍ୟକାରୀ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏପରିକି ଆଦେଶର ନକଲ ପାପଡ଼ାହାଣ୍ଡି ବିଡିଓଙ୍କ ନିକଟକୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ପଠାଯାଇଛି। କିନ୍ତୁ ଆଦେଶ ଜାରି ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବଦଳି କାର୍ଯ୍ୟକାରୀ ନହେବା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ବିଡିଓ କପିଳ ଦେବ ସାହୁଙ୍କୁ ପଚାରିବାରୁ ରାଜନୈତିକ ଚାପ ଯୋଗୁଁ ବଦଳି କରାଯାଉ ନଥିବା ସେ କହିଥିବା ଜଣାପଡ଼ିଛି। ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି ନିର୍ଦ୍ଦେଶ ଜାରି ହୋଇଛି, ତେବେ ତାହା କାର୍ଯ୍ୟକାରୀ କରିବାରେ ବିଳମ୍ବ କାହିଁକି? ରାଜନୈତିକ ଚାପ ଆଗରେ ପ୍ରଶାସନିକ ନିର୍ଦ୍ଦେଶ ଅକାମୀ ହୋଇପଡ଼ିଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ବଦଳି ନିୟମର ଅନୁପାଳନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବା ସହ ବିଳମ୍ବର କାରଣ ସ୍ପଷ୍ଟ କରିବାକୁ ଦାବି ହେଉଛି

Leave a Reply

Your email address will not be published. Required fields are marked *