କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ଝାରକୁଣ୍ଡାମାଲ ଗ୍ରାମରେ ଜମିବାଡ଼ିକୁ ନେଇ ଚାଲିଥିବା ବିବାଦ ଉଗ୍ର ହୋଇଛି। ଗତ ସୋମବାର ଦିନ ଏହି ମାମଲାରେ ସଂଘବଦ୍ଧ ଆକ୍ରମଣ ହୋଇ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ପୋଲିସ ତତ୍ପରତା ପ୍ରକାଶ କରି ବୁଧବାର ଜଣେ ନାବାଳକ ସମେତ ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ଝାରକୁଣ୍ଡାମାଲ ଗ୍ରାମରେ ଜମିଜମାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଉତ୍ତେଜନା ବଢ଼ିବାରୁ ରବୀନ୍ଦ୍ର ସରାବଙ୍କୁ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ରବୀନ୍ଦ୍ର ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ପୀଡ଼ିତ ପକ୍ଷରୁ କୋକସରା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୋଲିସ ଏହି ମାମଲାରେ ସଂପୃକ୍ତ ଥିବା ଦୀପକ ହରିଜନ, ମୋତିଲାଲ କୁମାର, ମୁକେଶ ବାଗ, ହରିଲାଲ ବାଗ, କରଣ ମାଝୀ, ମନସ ମହାନନ୍ଦ, ମହାଦେବ ନିଆଲ ଏବଂ ଜଣେ ନାବାଳକ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟକୁ ପଠାଇଥିବା କୋକସରା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
