କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଦୁର୍ଗମ, ବଣ ପାହାଡ଼ ଘେରା ତଥା ଉପାନ୍ତ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କ କରକମଳରେ ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତାଗୁଡ଼ିକର ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ବିଭାଗୀୟ ସୂଚନା ଅନୁଯାୟୀ, ଆମପାଣି ପଞ୍ଚାୟତ ଅନ୍ତର୍ଗତ ବିରିମୁହାଣରୁ କଲୋନୀପଡ଼ା ରାସ୍ତା ନିର୍ମାଣ ପାଇଁ ୩ କୋଟି ୭୦ ଲକ୍ଷ ୭୫ ହଜାର ଟଙ୍କା, କୁଟୁରୁ-ଗିର୍ଲିମାଲ ରାସ୍ତା ପାଇଁ ୨ କୋଟି ୯ ଲକ୍ଷ ଟଙ୍କା ଏବଂ ଡୁଡୁକାଠେଙ୍ଗ ଗ୍ରାମ ପଞ୍ଚାୟତର ବଡ଼କଛାର ରାସ୍ତା ପାଇଁ ୧ କୋଟି ୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସମେତ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୌଭାଗ୍ୟ ମହାପାତ୍ର ଓ ସହକାରୀ ଯନ୍ତ୍ରୀ କେଦାର ଚନ୍ଦ୍ର ଦାସ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ, ସରପଞ୍ଚ ହରିପ୍ରିୟା ନାଗ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅଞ୍ଚଳର ଗ୍ରାମବାସୀମାନେ ଦୀର୍ଘ ଦିନ ଧରି ଏହି ରାସ୍ତାଗୁଡ଼ିକର ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ବର୍ତ୍ତମାନ ରାସ୍ତା କାମ ଆରମ୍ଭ ହେବାକୁ ଯାଉଥିବାରୁ ଉପାନ୍ତ ଅଞ୍ଚଳବାସୀଙ୍କ ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହେବ ବୋଲି ସ୍ଥାନୀୟ ଲୋକେ ଆଶା ବ୍ୟକ୍ତ କରିଛନ୍ତି।
