ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ବଡ଼ଭଟାଠାରେ ମା’ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସପ୍ତଦିବସୀୟ ଭାସ୍କର ଚଣ୍ଡୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ ଡହଗାଁ ଓ ଟେମରା ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ଫଳରେ ମ୍ୟାଚ୍ର ନିଷ୍ପତ୍ତି ପେନାଲ୍ଟି ସୁଟ୍ଆଉଟ୍ରେ ହୋଇଥିଲା। ଏଥିରେ ଡହଗାଁ ଦଳ ବିଜୟୀ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏଥିସହ ଡାଲଗୁମା ପଞ୍ଚାୟତର ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ ଓ ବିଜେପି ନେତା ପ୍ରଭାତ ଚଣ୍ଡୀ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ବ୍ଲକ ବିଜୁ ଜନତା ଦଳର ସଭାପତି ସୁଶାନ୍ତ କୁମାର ବେହେରା, ଧର୍ମଗଡ଼ ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଶାନ୍ତ କୁମାର ତିୱାରୀ, ଅବସରପ୍ରାପ୍ତ ଶିକ୍ଷକ ଜୟରାମ ଚଣ୍ଡୀ, କଂଗ୍ରେସ ନେତା ମହେନ୍ଦ୍ର ଧରୁଆ ଓ ପୂର୍ବତନ ସମିତି ସଭ୍ୟ ଭୁବନେଶ୍ୱର ମାଝୀ ପ୍ରମୁଖ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟର ଖେଳ ପରିଚାଳନା ଡେଙ୍ଗାଗୁଡ଼ା ହାଇସ୍କୁଲର ଖେଳ ଶିକ୍ଷକ ଶଙ୍କର ପୋଡ଼ କରିଥିବା ବେଳେ ଲାଇନ୍ସମ୍ୟାନ ଭାବେ ଜୟଦେବ କଟା ଓ ଗୋବିନ୍ଦ ନାଏକ ସହଯୋଗ କରିଥିଲେ। ଖେଳର ଧାରାବିବରଣୀ କାର୍ତ୍ତିକ ମାଝୀ, ଫକୀର ସଗଡ଼ିଆ ଓ ଭକ୍ତିରାମ ପୋଡ଼ ପ୍ରଦାନ କରିଥିଲେ। ଏହି ଅବସରରେ ମଣ୍ଟୁ ଅଗ୍ରୱାଲ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ, କ୍ଲବ ସଭାପତି ପବିତ୍ର ନାଗ ଓ ସମ୍ପାଦକ ପ୍ରଫୁଲ୍ଲ ଚଣ୍ଡୀ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ କ୍ଲବ ଚେୟାରମ୍ୟାନ ଖରସେଲ, ନମିଶ ପଟ୍ଟନାୟକ, ଚକ୍ରଧର ପୋଡ଼ଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
