ରକ୍ତରଞ୍ଜିତ ହେଲା ୨୨୦ ନମ୍ବର ଜାତୀୟ ରାଜପଥ, ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ କଲେ ରାସ୍ତା ଅବରୋଧ

କରଞ୍ଜିଆ ସିଟି/କ୍ରାନ୍ତିକ୍ଷେତ୍ର (ଦୀପ୍ତିରାଣୀ ପ୍ରଧାନ): ସକାଳୁ ସକାଳୁ ରକ୍ତରଞ୍ଜିତ ହୋଇପଡ଼ିଲା ୨୨୦ ନମ୍ବର ଜାତୀୟ ରାଜପଥ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ପାଣ୍ଠ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୨୯ ବର୍ଷୀୟ ଯୁବକ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିବାରୁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ଅନୁଯାୟୀ, ଏକ ଆପାଚି ବାଇକ୍‌ରେ ତିନି ଜଣ ଯାଉଥିବାବେଳେ ଅନ୍ୟ ଏକ ହୋଣ୍ଡା ସାଇନ୍‌ ବାଇକ୍‌ରେ ଜଣେ ଯାଉଥିଲେ। ପାଣ୍ଠ ନିକଟରେ ଉଭୟ ବାଇକ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଫଳରେ ଚାରି ଜଣ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ଆପାଚି ବାଇକ୍‌ରେ ଥିବା ବଡ଼ବିଲ ଅଞ୍ଚଳର ଚାଇନେବଦା ଗ୍ରାମର ଲୁଲୁ ମଢ଼େଇ (୨୯)ଙ୍କ ମୃତ୍ୟୁ ଘଟିଥିବାବେଳେ ସାଇନ୍‌ ବାଇକ୍‌ ଚାଳକଙ୍କର ମଧ୍ୟ ପ୍ରାଣହାନି ଘଟିଛି। ଦ୍ୱିତୀୟ ମୃତକଙ୍କ ନାମ ଜଣାପଡ଼ିନଥିବାବେଳେ ତାଙ୍କ ଘର ଝାରପୋଖରିଆର ବମ୍ବେ ଛକ ଅଞ୍ଚଳରେ ବୋଲି ସୂଚନା ମିଳିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାଜପଥ ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଖବର ପାଇ ଯଶିପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲା।

ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଏବଂ ମୃତକଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି। ଦୁଇ ଜଣଙ୍କ ଅକାଳ ମୃତ୍ୟୁ ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *