ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ସାମ୍ପ୍ରତିକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହେବା ଯୋଗୁଁ ରୋଗୀ ନିଶ୍ଚିତ ମୃତ୍ୟୁକୁ ଆବୋରି ନେଉଛି। ମାତ୍ର ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ଅଚଳ ଅଙ୍ଗ ପ୍ରତ୍ୟଙ୍ଗକୁ ଅସ୍ତ୍ରୋପଚାର ମାଧ୍ୟମରେ କାଢି ନିଆଯାଇ ନୂତନ ଅଙ୍ଗ ପ୍ରତ୍ୟଙ୍ଗ ରୋପଣ ଫଳରେ ରୋଗୀ ପୁନଃ ଜୀବନ ପାଉଛି। ଏହାଛଡା ମଣିଷ ଶରୀରରେ ପ୍ରତ୍ୟରୋପଣ ପାଇଁ ଅନୁପଯୁକ୍ତ ଅଙ୍ଗ ବିଭିନ୍ନ ପରୀକ୍ଷାଗାରରେ ଛାତ୍ରଛାତ୍ରୀ ଓ ବୈଜ୍ଞାନିକଙ୍କ ଗବେଷଣାରେ ଲାଗି ପାରୁଛି। ଏଇ ପରିପ୍ରେକ୍ଷୀରେ ବହୁ ଅମୂଲ୍ୟ ଜୀବନ ରକ୍ଷା ପାଇଁ ଅଙ୍ଗଦାନ ମହତ ଦାନ କାର୍ଯ୍ୟକ୍ରମ ପ୍ରତି ବିପୁଳ ସମର୍ଥନ ମିଳିଛି। ବାସ୍ତବରେ ଏ ନେଇ ସୃଷ୍ଟି ହୋଇଥିବା ସଚେତନତା ଫଳରେ ଏହା ବାସ୍ତବରେ ଆନ୍ଦୋଳନରେ ପରିଣତ ହୋଇଛି। ଏହି ମହତ କାର୍ଯ୍ୟ ପ୍ରତି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁଛି। ଓଡିଶାରେ ଅଙ୍ଗଦାନ ମହତ ଦାନ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଅଙ୍ଗଦାନ ଅଭିଯାନ ପ୍ରଚାର ପ୍ରସାର କମିଟି ଅଧକ୍ଷ ଡ଼ ପ୍ରଭାସ ଆଚାର୍ଯ୍ୟ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଂଚାୟତ ବିଶ୍ୱାଳ ସାହିର ଯୁବସମାଜସେବୀ ସଂଗ୍ରାମ ବିଶ୍ୱାଳ ଅଙ୍ଗଦାନ ମହତଦାନ ଅଭିଯାନରେ ସ୍ବେଛାକୃତ ଭାବେ ସାମିଲ ହୋଇ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ସେ ଅଙ୍ଗଦାନ ପାଇଁ ସଂକଳ୍ପ ପତ୍ରରେ ସ୍ଵାକ୍ଷର କରିଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟକୁ ବିଭିନ୍ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।