କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା କୋକସରା ବ୍ଲକର ବଡ଼ପୋଡ଼ାଗୁଡ଼ା, ମହାଜନଗୁଡା ରାସ୍ତା ମରାମତି ଅଭାବ କାରଣରୁ ଅନେକ ଦିନ ହେଲା ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ପୋଡ଼ାଗୁଡ଼ାଠାରୁ ମହାଜନଗୁଡାକୁ ସଂଯୋଗ କରୁଥିବା ପ୍ରାୟ ୪.କିମି ଏହି ରାସ୍ତାକୁ କିଛି ବର୍ଷତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ କରାଯାଇଥିଲା। ଏବଂ ନିର୍ମାଣ ପରେ ୫ବର୍ଷର ରକ୍ଷଣାବେକ୍ଷଣ ଅବଧି ମଧ୍ୟ ସରିଛି। ହେଲେ ଅନେକ ଦିନ ହେଲା ମରାମତି ଅଭାବ କାରଣରୁ ଏହି ରାସ୍ତା ଶୋଚନୀୟ ହୋଇପଡ଼ିଛି। ବର୍ତ୍ତମାନ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ରାସ୍ତାରେ ପାଣି ଜମି ରହୁଛି। ରାସ୍ତାଟି ୨୬ ନମ୍ବର ଜାତୀୟ ରାଜପଥରୁ ବିଜୁ ଏକ୍ସପ୍ରେସୱେକୁ ସଂଯୋଗ ରହିଥିବାରୁ ପ୍ରତିଦିନ ଏହି ରାସ୍ତାରେ ଶହଶହ ଗାଡ଼ି ମୋଟର ସହ ଅଞ୍ଚଳବାସୀ ନିର୍ଭରଶୀଳ। ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ବଡ଼ପୋଡ଼ାଗୁଡ଼ା, ମହାଜନଗୁଡା, ରଏନଗୁଡା, ତଲାଗାଁ ସମେତ ଆଖପାଖ ଗାଁ ଗୁଡ଼ିକର ଲୋକେ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହାଙ୍କୁ ପଚାରିବାରୁ ରାସ୍ତା ମରାମତି ଦିଗରେ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି।