ବଡ଼ପୋଡ଼ାଗୁଡ଼ା ସ୍କୁଲ ସମସ୍ୟା ନେଇ ବିଡ଼ିଓ ଏବଂ ବିଇଓଙ୍କୁ ଦାବିପତ୍ର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦିର୍ଘ ବର୍ଷ ହେବ କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ରହିଛି। ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏନେଇ ଗୁରୁବାର ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମାନେ କୋକସରା ବିଡ଼ିଓ ଏବଂ ବିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିଥିବା ପାଇଁ ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ, ବଡ଼ପୋଡ଼ାଗୁଡ଼ା ଠାରେ ଥିବା ଏହି ବିଦ୍ୟାଳୟରେ ଦିର୍ଘ ବର୍ଷରୁ ଜମି ବିବାଦ କାରଣରୁ ନୂତନ ଶ୍ରେଣୀ କୋଠା ନିର୍ମାଣ ହେବାରେ ବାଧା ଉପୁଜୁଛି। ଏନେଇ ସ୍କୁଲ ପରିଚାଳନା କମିଟି ଓ ଅବିଭାବକ ମାନେ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାକୁ ନେଇ ଗତବର୍ଷ ସ୍କୁଲ ଗେଟ୍ ଆଗରେ ତାଲା ପକାଇ ଅବିଭାବକ ଓ ପରିଚାଳନା କମିଟି ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଇଥିଲା। ସେହି ସମୟରେ କୋକସରା ତତ୍କାଳୀନ ବିଡ଼ିଓ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଆଜି ଯାଏଁ କୌଣସି ସମାଧାନ ହୋଇ ପାରିନାହିଁ। ଯାହା ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀ କୋଠରୀରେ ଅଧ୍ୟୟନ କରି ଆସୁଛନ୍ତି। ଯାହାକୁ ନେଇ ଅବିଭାବକ ଓ ଗ୍ରାମବାସୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆଜି ସ୍କୁଲ ସମସ୍ୟାର ସମାଧାନ ପାଇଁ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କୁ ଗ୍ରାମବାସୀ ମାନେ ଏକ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି। ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଆଗାମୀ ସପ୍ତାହେ ମଧ୍ୟରେ ସମସ୍ୟା ପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ପରିଚାଳନା କମିଟିର ଅଧ୍ୟକ୍ଷ ଯୁବରାଜ ପ୍ରଧାନୀ, ନରହରି ସୁନା, ରୋମାଞ୍ଚଳ ବାଗ, କ୍ଷିତିରାମ ବାଗ ପ୍ରମୁଖ ଉପସ୍ଥିତ ଥିଲେ।