କାଦୁଅ ପଚପଚ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗାଁ କୁ ରାସ୍ତା, ମା କୁ ସମ୍ମାନ ର ନାରା ଦେଉଛନ୍ତି। ହେଲେ ଗ୍ରାମାଞ୍ଚଳ ର ରାସ୍ତାଘାଟ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନି। ଫଳ ସ୍ୱରୂପ ବର୍ଷାଦିନ ଆସିଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। କେଉଁଠି ଖଟିଆକୁ ଭାର କରି ଗର୍ଭବତୀକୁ ବୁହା ହେଉଛି ତ’ ଆଉ କେଉଁଠି ଗାଁକୁ ଆମ୍ବୁଲାନ୍ସ ପହଂଚି ନପାରିବା ଯୋଗୁଁ ଗୁରୁତର ରୋଗୀ ଚିକିତ୍ସା ନପାଇ ଅସମୟରେ ପ୍ରାଣ ହରାଉଛନ୍ତି। ରାସ୍ତାକୁ ନେଇ ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାରୁ। ଉକ୍ତ ବ୍ଲକର ଡ଼ଙ୍ଗରୀଗୁଡ଼ା ଗ୍ରାମରେ ଘର ସଂଖ୍ୟା ୧୬୦ ରହିଥିବାବେଳେ ଜନସଂଖ୍ୟା ୮ଶହରୁ ଉର୍ଦ୍ଧ। ଉକ୍ତ ଗ୍ରାମ ଦେଇ ଉଭୟ କୋଷାଗୁମୁଡା ଓ କୋଡୀଙ୍ଗା ରାସ୍ତା ସଂଯୋଗ ହୋଇଛି।

ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ କୋଷାଗୁମୁଡା ଓ କୋଡୀଙ୍ଗାକୁ ଯିବା ଆସିବା କରିଥାନ୍ତି, ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ରହିଥିବାରୁ ନୁଆଁବନ୍ଦ, ରୁନିଗୁଡ଼ା, କଣ୍ଡାପୁରୀ ଆଦି ଗ୍ରାମର ଜନସାଧାରଣ ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡ଼ଙ୍ଗରୀଗୁଡ଼ା ଗ୍ରାମର କଥା ତ’ ନ କହିବା ଭଲ। ଗ୍ରାମଟି ବର୍ଷାଦିନ ଆସିଲେ ପୁରା କାଦୁଅମୟ ହୋଇଯାଉଛି। ଜୁଆଡେ ଯିବ ଖାଲି କାଦୁଅ ହିଁ କାଦୁଅ। ଏଭଳି ପରିସ୍ଥିତିରେ ବି ଗ୍ରାମବାସୀ ଚଲାବୁଲା କରିବାକୁ ବାଧ୍ୟ ହେଉଛନ୍ତି। ଏ ଅଞ୍ଚଳର ବିକାଶ କେବେ ହେବ ଓ ଅଞ୍ଚଳବାସୀ କେବେ ଉପକୃତ ହେବେ ତାହା ଦେଖିବାକୁ ବାକି ରହିଲା।