ମେଡ଼ିକାଲରେ ୮ଦିନ ହେଲା ବୋରୱେଲ ଅଚଳ, ରୋଗୀ ହନ୍ତସନ୍ତ

ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ(କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୮ଦିନ ହେଲା ସେଠାରେ ଥିବା ବୋରୱେଲ ମୋଟର ଅଚଳ ହେବା ଯୋଗୁ ପାଣି ସପ୍ଲାଏ ଠପ୍ ହୋଇଯାଇଛି । ଯାହା ଫଳରେ ଦୁର ଦୁରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧା ହେଉଥିବା ସାମ୍ନାକୁ ଆସିଛି । ଦୀର୍ଘ ୮ ଦିନ ହେଲା ଅଭିଯୋଗ ହୋଇଥିଲେ ମଧ୍ୟ ମରାମତି ଦିଗରେ ସୁଧାର ଆସୁନାହିଁ ।୮ଦିନ ହେଲା ମେଡିକାଲ ମଧ୍ୟକୁ ପାଣି ଆସୁନାହିଁ । ବିଶେଷ କରି ମାଆ ଗୃହରେ ଥିବା ଗର୍ଭବତୀ ମହିଳା ମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି ।ସୂଚନା ଥାଉ କି ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୮ଖଣ୍ଡ ଗ୍ରାମ ପଞ୍ଚାୟତ ଓ କଳାହାଣ୍ଡି ଜିଲ୍ଲାର କିଛି ଗାଁ ନିର୍ଭର କରୁଛନ୍ତି ।ଏଣୁ ଦୈନନ୍ଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅନେକ ରୋଗୀ ନିର୍ଭର କରନ୍ତି। ଏବେ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପାଣି ସପ୍ଲାଏ ହେଉ ନଥିବାରୁ ରୋଗୀ ମାନେ ପାଣି ପାଇଁ ଅସୁବିଧା ହେଉଥିବା କହିଛନ୍ତି। ଏନେଇ ଆମେ ମେଡିକାଲ ଇନଚାର୍ଜ ଡ. ମାନସ ରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ବୋରୱେଲ ମୋଟର ପାଇଁ ଅର୍ଡର୍ ଦିଆଯାଇଛି ମୋଟର ଆସିଲେ ଶୀଘ୍ର ସଂଯୋଗ କରି ପାଣି ସପ୍ଲାଏ ଦିଆଯିବ ବୋଲି କହିଥିଲେ । ଏଣୁ ଶୀଘ୍ର ଅଚଳ ବୋରୱେଲକୁ ମରାମତି କରିବା ପାଇଁ ରୋଗୀ ଓ ସଧାରଣ ଲୋକେ ଦାବି କରିଛନ୍ତି।