ବନ ବିଭାଗର ମିଳିତ ସର୍ଚ୍ଚ ଅପରେସନ : ବହୁ ପରିମାଣର କାଠ ସାମଗ୍ରୀ ଜବତ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ବନାଞ୍ଚଳ ଅଧୀନ ମୈଦଲପୁର ବନବିଭାଗ ଅଧିନ ତାରାପାଣି ଗାଁ ଠାରେ ବନ ବିଭାଗର ଏକ ଟିମ୍ ମିଳିତ ଭାବେ ଜଣଙ୍କ ଘରୁ ଚଢାଉ କରି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର କାଠ ସାମଗ୍ରୀ ଜବତ  କରାଯାଇଥିବା ଜଣାପଡିଛି। ଜବତ ହୋଇଥିବା କାଠ ମାଫିଆ ହେଲେ ସେହି ଗାଁ ର କାଶୀନାଥ ହରିଜନ ବୋଲି ଜଣାପଡିଛି। ସୂଚନା ଅନୁସାରେ ମୈଦଲପୁର ଥାନା ଅଧୀନ ତାରାପାଣିର କାଶୀନାଥ ହରିଜନ ବେଆଇନ କାଠଚୋରା ଚାଲାଣ  କରିବା ସହ କାଠ ଗଣ୍ଡିରେ ବେଆଇନ ଭାବେ ସାମଗ୍ରୀ ନିର୍ମାଣ କରି ଲକ୍ଷାଧିକ ଟଙ୍କା କାରବାର କରୁଥିଲେ।

ବିଶେଷ ସୂତ୍ରରୁ ଖବର ପାଇଁ ଖଣ୍ଡିୟ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି , ଡ଼ାବୁଗାଁ, ତୁମ୍ଭର୍ଲା ଓ ମୈଦଲପୁର ବିଭାଗର ମିଳିତ ଭାବେ ଆଜି ଚଢ଼ାଉ କରି ଜବତ ସାମଗ୍ରୀ ଆନୁମାନିକ ଦୁଇ ଲକ୍ଷ ଟଙ୍କା ର ହବ ବୋଲି ଜଣାପଡିଛି ।  ଶାଗୁଆନ, ଶାଳ, ମହୁଲ କାଠ ଓ ଅନେକ ଖଟ ସାମଗ୍ରୀ ଜବତ କରାଯାଇଛି। ଚଢାଉ ସମୟରେ କାଠ ମାଫିଆ କାଶୀନାଥ ବନ ବିଭାଗର ଅଧିକାରୀ ଙ୍କୁ ଦେଖି ଆଗରୁ ଚଂପଟ ମାରିଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ  ଡ଼ାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା, ମୈଦଲପୁର ବନପାଳ ମଧୁସୂଦନ ପାତ୍ର, ଡ଼ାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ , ତେନ୍ତୁଳିଖୁଣ୍ଟି ବନପାଳ ରିତେଶ ସୁନା , ତୁମ୍ଭର୍ଲା ବନପାଳ ଜସ୍ମିରାଣୀ କିସ୍କୋ, ନବରଙ୍ଗପୁର ବନପାଳ ଭାସ୍କର ଷଡ଼ଙ୍ଗୀ ଓ ବନରକ୍ଷୀ,ବସନ୍ତ ନାୟକ, ଉମାଶଙ୍କର ମିଶ୍ର, ମଧୁସ୍ମିତା ତ୍ରିପାଠୀ, ସରସ୍ବତୀ ମେହେର, କାର୍ତିକ ମାଝୀ, ବୈଦନାଥ ମାଝୀ, ରାମଚନ୍ଦ୍ର ଭତ୍ରା, ଝାଡ଼େଶ୍ୱର ହରିଜନ, ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।