ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ଭୁବନେଶ୍ବର ଦ୍ବାରା ଚଳିତ ନଭେମ୍ବର ୨୯ ଓ ୩୦ ତାରିଖରୁ ଭୁବନେଶ୍ଵରରେ ଅନୁଷ୍ଠିତ ହେଉଛି ସୋଆ ସାହିତ୍ୟ ଉତ୍ସବର ତୃତୀୟ ସଂସ୍କରଣ। ଦୁଇଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଜାତୀୟ ସ୍ତରର ସାହିତ୍ୟ ଉତ୍ସବରେ ୩୦ଟି ଅଧିବେଶନରେ ଭାରତର ବିଭିନ୍ନ ପ୍ରାନ୍ତରୁ ୧୦୦ ଜଣ ବିଶିଷ୍ଟ ସାହିତ୍ୟିକ, ସଂସ୍କୃତି ଗବେଷକ, ଭାଷାବିତ୍, ଚଳଚ୍ଚିତ୍ର ଜଗତର ବ୍ଯକ୍ତି ତଥା ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୋଆର କ୍ଯାମ୍ପସ୍ ୨ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନବରଙ୍ଗପୁର ଜିଲ୍ଲାର ବିଶିଷ୍ଟ ଯୁବ ସାହିତ୍ୟିକ ସବ୍ୟସାଚୀ ବିଷୋୟୀ। Tribal Culture: The Heritage We Must Preserve ଉପରେ ଆଲୋଚନା କରିବେ। ପ୍ରକାଶ ଥାଉକି ସବ୍ୟସାଚୀ ବିଷୋୟୀ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ସଂସ୍କୃତି, ପରମ୍ପରା, ସାମାଜିକ ବିଧିବ୍ଯବସ୍ଥା, ଭାଷା ଓ ଐତିହାସିକ ସ୍ଥାନ ଉପରେ ଗବେଷଣା କରୁଛନ୍ତି। ତାଙ୍କ ପ୍ରବନ୍ଧ ଓଡିଶାର ପ୍ରତିଷ୍ଠିତ ପତ୍ରପତ୍ରିକା ପ୍ରକାଶ ପାଉଛି। ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ତିନୋଟି ଓ ଓଡିଆ କବିତା ସଙ୍କଳନଟେ ତାଙ୍କ ଲିଖନୀରୁ ପ୍ରକାଶିତ ହୋଇଛି। ସମ୍ପ୍ରତି ଦେଶିଆ କୁଟୁମର ସଂପାଦକ ଓ ହର୍ଷିତା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବ ‘ଉନ୍ମେଷ’ରେ ଦେଶିଆ ଭାଷାର ପ୍ରତିନିଧିତ୍ବ କରି ପ୍ରଭାବଶାଳୀ ବକ୍ତବ୍ୟ ପ୍ରଦାନ ଉଚ୍ଚ ପ୍ରଶଂସିତ ହୋଇଥିଲେ। ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେଉଥିବାରୁ ସବ୍ୟସାଚୀ ବିଷୋୟୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
