ଦଲକି ସଂରକ୍ଷିତ ଜଙ୍ଗଲରେ ୧୩ଟିକିଆ ହାତୀପଲଙ୍କ ଉତ୍ପାତ, ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା

ବୈଶିଙ୍ଗା/କ୍ରାନ୍ତିକ୍ଷେତ୍ର (ମମତା ଗୌଡ) : ଜଙ୍ଗଲ ଛାଡ଼ି ଜନବସତି ଓ ରାସ୍ତା ମୁହାଁ ହେଉଛନ୍ତି ହାତୀପଲ। କେଉଁଠି ରାସ୍ତା ଉପରେ ଦନ୍ତା ହାତୀର ଉପସ୍ଥିତି ଲୋକଙ୍କୁ ଆତଙ୍କିତ କରୁଛି ତ ଆଉ କେଉଁଠି ପାଚିଲା ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ। ବେତନଟୀ ବନାଞ୍ଚଳରେ ଦିନକୁ ଦିନ ହାତୀ ବିଚରଣ ବଢ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି।

ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ପ୍ରାୟ ୭୫ଟି ଜଙ୍ଗଲୀ ହାତୀ ବିଚରଣ କରୁଛନ୍ତି। ଏହି ହାତୀପଲଙ୍କ ମଧ୍ୟରୁ ଦଲକି ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀଙ୍କ ଏକ ଦଳ ଡେରା ପକାଇଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ପାଚିଲା ଧାନ କ୍ଷେତ ଏବେ ଏହି ହାତୀପଲଙ୍କ ଆକର୍ଷଣ ପାଲଟିଛି। ରାତି ହେଲେ ହାତୀପଲ ଧାନ କ୍ଷେତ ମୁହାଁ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଅନ୍ୟପକ୍ଷରେ ରାସ୍ତା ଉପରେ ଏକ ଦନ୍ତା ହାତୀର ବିଚରଣ ଦୃଶ୍ୟ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ରାସ୍ତା ଉପରେ ଦନ୍ତାଟି ନିଜର ଦାନ୍ତ ଘଷୁଥିବା ଦୃଶ୍ୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ହାତୀଙ୍କ ସାମ୍ନାସାମ୍ନି ହେବାର ଆଶଙ୍କା ରହିଥିବାରୁ ସତର୍କତା ଜରୁରୀ ହୋଇପଡ଼ିଛି। ବିଶେଷକରି ଧାନ ଅମଳ ସମୟରେ ହାତୀପଲଙ୍କ ଏଭଳି ଉପସ୍ଥିତି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗୋଟିଏ ପଟେ ବର୍ଷଯାକର ପରିଶ୍ରମର ଫସଲକୁ ସୁରକ୍ଷା ଦେବା ଚାଷୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଅନ୍ୟପଟେ ହାତୀଙ୍କ ଅବାଧ ବିଚରଣ ଜନଜୀବନ ଓ ଚାଷଜମି ପ୍ରତି ବିପଦ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *