ଗାଁ କୁ ନାହିଁ ପକ୍କା ରାସ୍ତା, ରାସ୍ତା ମରାମତି କଲେ ଗାଁ ଲୋକେ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର : ଗାଁ କୁ ନାହିଁ ପକ୍କା ରାସ୍ତା, ଆସିପାରୁନି ଲକ୍ଷ୍ମୀ ବସ ଉପାୟ ନପାଇ ଗ୍ରାମବାସୀ ନିଜେ ଶ୍ରମଦାନ କରି ଏକ କିଲୋମିଟର ରାସ୍ତାକୁ କଲେ ସମତୁଲ। ଏଭଳି ଚିତ୍ର ଆସିଛି ମୟୂରଭଞ୍ଜ ଜାମଦା ବ୍ଲକ ଅନ୍ତର୍ଗତ ବଡ କୁଲେଇବିରା ଗ୍ରାମପଞ୍ଚାୟତର ଘୁମାଳ ଗ୍ରାମରେ। ଯେଉଁଠି ଘୁମାଳ ଦୁମାଘୁଟ ଗ୍ରାମଠାରୁ ରଙ୍ଗମାଟିଆ ଗ୍ରାମ ପର୍ଯ୍ୟନ୍ତ ଏକ କିଲୋମିଟର ରାସ୍ତା ଗ୍ରାମବାସୀ ନିଜସ୍ଵ ଖର୍ଚ୍ଚ ଓ ଶ୍ରମଦାନ କରି ସମତୁଲ କରିଛନ୍ତି। ଅଭିଯୋଗ ଅନୁସାରେ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ପକ୍କା ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ହୋଇ ପାରିନାହିଁ ପକ୍କା ସଡକ ଯାହା ଫଳରେ ଗ୍ରାମବାସୀ ମୋ ବସ ସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଅପରପକ୍ଷରେ ୬ ମାସ ପୂର୍ବରୁ ଗ୍ରାମକୁ ମୋ ବସ ଯାତାୟତ କରୁଥିଲା କିନ୍ତୁ ରାସ୍ତା ସଙ୍କଟାପନ୍ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସେବା ବନ୍ଦ କରାଯାଇଛି। ତେବେ ଏହି ସେବାକୁ ଉପଲବ୍ଧ କରନ୍ତୁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ ସୋମବାର ଦିନ ଗ୍ରାମବାସୀ ଦାବୀ ଜଣାଇ ଥିବାବେଳେ ଗ୍ରାମବାସୀଙ୍କୁ ରାସ୍ତା ସଙ୍କଟାପନ୍ନ ରହିଛି ବୋଲି ବିଡିଓ କହିବାରୁ ଗ୍ରାମବାସୀ ମାନେ ଆଜି ନିଜସ୍ୱ ଖର୍ଚ୍ଚ ଓ ଶ୍ରମଦାନ କରି ସମ୍ପୂର୍ଣ୍ଣ ରାସ୍ତାକୁ ସମତୁଲ କରି ମୋ ବସ୍ (ଲକ୍ଷ୍ମୀ ବସ )ସେବା ଉପଲବ୍ଧ କରନ୍ତୁ ବୋଲି ଗଣମାଧ୍ୟମ ପାଖରେ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏଭଳି ଦୃଶ୍ୟକୁ ଗୁରୁତ୍ବାରୋପ କରି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେବେ ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରୁଛନ୍ତି ଏବଂ ବସ୍ ଚଳାଚଳ କରୁଛନ୍ତି ତାହା ପ୍ରଶ୍ନ ଘେରରେ। ରାସ୍ତା ନିର୍ମାଣ ରେ  ଯତନ ମହାନ୍ତ, ଲକ୍ଷ୍ମୀ ମହାନ୍ତ, ସୁମିତ୍ରା ମହାନ୍ତ, ଆରତି ମହାନ୍ତ, ତପସ୍ବିନୀ ମହାନ୍ତ, ଦୁଲାରି ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କଲେ।