ଦୁର୍ଘଟଣାକୁ ଆମନ୍ତ୍ରଣ କରିଛି ରାସ୍ତା ପାର୍ଶ୍ଵର ଅନାବନା ଗଛ

କ୍ରାନ୍ତିକ୍ଷେତ୍ର/କୋକସରା : ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ କାଉଡୋଲା ଛକ ଠାରୁ ଲଡୁଗାଁ କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଉଭୟ ପାର୍ଶ୍ୱରେ ଦିର୍ଘ ଦିନରୁ ଅନାବନା ଗଛ ଭରି ରହିଛି। ଯାହା ଫଳରେ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି। ରାସ୍ତାର ଦୁଇ ପାର୍ଶ୍ୱରେ ଏମିତି ଅନାବନା ଗଛ ଗୁଡ଼ିକ ବଢି ଯାଇଛି ଯେ ବିପରୀତ ଦିଗ ରୁ କୌଣସି ଯାନବାହାନ ଆସୁଛି କି ନାହିଁ ତାହା ଜଣାପଡୁନାହିଁ। ତେଣୁ ଟିକିଏ ଅସାବଧାନତା ହେଲେ ପ୍ରତି ମୁହୂର୍ତ୍ତରେ ଦୂର୍ଘଟଣା ହେବା ଆଶଙ୍କା ରହିଛି। ଲଡୁଗାଁ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇ ଥିବାରୁ ବିଭିନ୍ନ ସ୍ଥାନରୁ ଲୋକ ଦୈନିକ ଅନେକ କାରବାର ପାଇଁ ଆସୁଥିବାବେଳେ ଶିଳ୍ପ ସଂସ୍ଥା କୁ ଶହ ଶହ ଯାନବାହାନ ଯା’ ଆସ କରିଥାଏ। ଅନ୍ୟପଟେ ଡାକ୍ତର ଖାନା, ବ୍ଯାଙ୍କ, ସ୍କୁଲ, କଲେଜ ଓ ଦୋକାନ ବଜାର କାର୍ଯ୍ୟ ପାଇଁ ମଧ୍ୟ ଲଡୁଗାଁ କୁ ଅନବରତ ସକାଳୁ ରାତି ପର୍ଯ୍ୟନ୍ତ ଲୋକେ ଏହି ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି। ରାସ୍ତା ପାର୍ଶ୍ଵରେ ଏହି ଅନାବନା ଗଛ ପାଇଁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁ ଥିବା ନଜିର ରହିଛି। କାଉଡୋଲା ବସଷ୍ଟାଣ୍ଡ ଠାରୁ ଲଡୁଗାଁ ପ୍ରାୟ ୫କିମି. ଥିବାବେଳେ କାଉଡୋଳା ରୁ ସୁନାମାଳ ଯିବା ବାଟରେ ଅନେକ ବୁଲାଣି ମାନଙ୍କରେ ଅନାବନା ଘାସ ଓ ଗଛ ରହିଛି। ପଥିକ ମାନେ ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବାର ମଧ୍ଯ ଆଶଙ୍କା ରହିଛି। ବୁଲାଣି ମାନଙ୍କ ଠାରେ କୌଣସି ସଂକେତ ସୂଚନା ନ ଦେବାରୁ ଲୋକେ ବୁଲାଣି ବିଷୟରେ ମଧ୍ୟ ଅବଗତ ନ ଥିବାରୁ ବେଳେ ବେଳେ ଦୁର୍ଘଟଣା ଘଟୁଥିବା ଲୋକ ଅଭିଯୋଗ କରିଛନ୍ତି। ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।