ଇଲେକ୍ଟ୍ରି ପୋଲ ପାଇଁ ସଂକୀର୍ଣ୍ଣ ହେଉଛି ରାସ୍ତା ଅସୁବିଧା ଭୋଗୁଛନ୍ତି ୱାର୍ଡବାସୀ
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ୱାର୍ଡ ନଂ ୯ ପାଢ଼ୀ କଲୋନୀରେ ବିକାଶରେ ବାଧା ସୃଷ୍ଟି କରୁଛି ଇଲେକ୍ଟ୍ରି ପୋଲ। ରାସ୍ତା ସଂକୀର୍ଣ୍ଣ ହେବା ସହିତ କୌଣସି ଗାଡ଼ି ମଟର ସୁବିଧା ଅସୁବିଧା ସମୟରେ ପଡ଼ା ଭିତରକୁ ପଶି ପାରୁନାହି। ସେହିପରି ପଡ଼ା ଭିତରେ ଥିବା ଡ୍ରେନ ମଝିରେ ମଧ୍ୟ ଇଲେକ୍ଟ୍ରି ପୋଲ ରହି ଥିବାରୁ ପାଣି ଠିକରେ ଯାଇପାରୁ ନାହିଁ। ପଡ଼ାର ମୁଖ୍ୟ ରାସ୍ତା ଖରାପ ହୋଇ ସିମେଣ୍ଟ କଂକ୍ରିଟ ଉପର ମୁହାଁ ହେଲାଣି। ମୁଖ୍ୟ ରାସ୍ତା କଡ଼ରେ ଥିବା ଡ୍ରେନରେ ମରାମତି ହୋଇ ହୋଇ ଡ୍ରେନ ଛୋଟ ହୋଇଯିବା ଫଳରେ ପାଣି ଠିକରେ ନିଷ୍କାସିତ ହୋଇ ପାରୁନାହିଁ। ଡ୍ରେନ କଡ଼ରେ ଥିବା ଘର ମାନକର ସମସ୍ୟା ନ କହିଲେ ଚଳେ। ସାହିର ମୁଖ୍ୟ ରାସ୍ତା ପ୍ରାୟ ୧୫ ଫୁଟ ଥିଲେ ମଧ୍ୟ ଇଲେକ୍ଟ୍ରି ପୋଲ ତନି ଭାଗରୁ ଭାଗେ ରାସ୍ତା ଅବରୋଧ କରିଛି। ପୋଲ ରାସ୍ତା କଡକୁ ଘୁଞ୍ଚାଇଲେ ରାସ୍ତା ବଡ଼ ହେବା ସାଙ୍ଗକୁ ଗାଡ଼ି ମଟର ସାହି ଭିତରକୁ ବିନା ଅବରୋଧରେ ଯାଇ ପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେଣୁ ଯଥା ଶୀଘ୍ର ଇଲେକ୍ଟ୍ରି ପୋଲ ଗୁଡ଼ିକୁ ରାସ୍ତା କଡ଼କୁ ସ୍ଥାନାନ୍ତରିତ କରିବା ପାଇଁ ୱାର୍ଡବାସୀ ଦାବୀ କରିଛନ୍ତି।