ବିଶ୍ୱନାଥପୁରଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୋମ୍ୟ ରଞ୍ଜନ ପାତ୍ର) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ସରକାରୀ ଯୋଜନା ଓ ଆତ୍ମନିଯୁକ୍ତିର ସୁଯୋଗ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ଲାଞ୍ଜିଗଡ଼ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଗୁରୁବାର ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦୁଇଶହରୁ ଊର୍ଦ୍ଧ୍ୱ ଚାଷୀ ଓ ଜନସାଧାରଣ ଯୋଗଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ମେଳାର ଉଦ୍‌ଘାଟନ କରିଥିବାବେଳେ ବିଶିଷ୍ଟ ଅତିଥି ଭାବେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଓ କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଏବଂ ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦୀପକ ବେହେରା ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ନୀରଦ ଚନ୍ଦ୍ର କହଁର ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନକୁ ଆୟବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ମତ୍ସ୍ୟ ଅଧିକାରୀ ଭବାନୀଶଙ୍କର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ, ନରେନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ ଓ ସମାଜସେବୀ ହରିହର କୁମାର ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିଲେ। ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୧୪ଟି ଷ୍ଟଲ୍ ଖୋଲାଯାଇ ମତ୍ସ୍ୟଚାଷ, ପ୍ରାଣୀପାଳନ, କୃଷି ଓ ଉଦ୍ୟାନ କୃଷି ସମ୍ପର୍କିତ ସୂଚନା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ସହକାରୀ ମତ୍ସ୍ୟ ଅଧିକାରୀ ଅଜିତ ଜାନୀ, ପ୍ରାଣୀ ସମ୍ପଦ ଅଧିକାରୀ ନର୍ମଦା ଦାସ,ଅଭିନାଶ ଗଉଡ଼ଙ୍କ ସମେତ କୃଷି, ଉଦ୍ୟାନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ମେଳାର ସଫଳ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *