କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତରେ ଦିନକୁ ଦିନ ମଦ ବିରୋଧୀ ଆନ୍ଦୋଳନ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି। ଏନେଇ ଗ୍ରାମର ମହିଳାମାନେ ଗତକାଲି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରିବା ପରେ ଅବକାରୀ ବିଭାଗ ତତ୍ପରତା ପ୍ରକାଶ କରିଛି। ଆଜି ଅବକାରୀ ବିଭାଗ ପକ୍ଷରୁ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ରଏନଗୁଡ଼ା ଗ୍ରାମରେ ହଠାତ୍ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଗ୍ରାମର ବିରେନ ଲହଜଲଙ୍କ ଠାରୁ ୧୦ ଲିଟର ଏବଂ ଟିକେଶ୍ବର ଲହଜଲଙ୍କ ଠାରୁ ୧୦ ଲିଟର ମୋଟ ୨୦ ଲିଟର ଦେଶୀ ମଦ ଜବତ୍ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି। ଏହି ଚଢ଼ାଉରେ କୋକସରା ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅଞ୍ଚଳରେ ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ ବେଆଇନ ମଦ କାରବାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
