କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ ରାସ୍ତା ପାର୍ଶ୍ବରୁ ଜବତ ହୋଇଥିବା ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା ଦିନକୁ ଦିନ ରହସ୍ୟାବୃତ ହେବାରେ ଲାଗିଛି। ମୃତକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ ବୋଲି ଚିହ୍ନଟ ହୋଇଛନ୍ତି। ସୋମବାର ଭବାନୀପାଟଣାରୁ ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ଫେରୁଥିବା ବେଳେ ମୋଟେର ନିକଟରେ ପରିବାରବର୍ଗ ଓ ସମ୍ପର୍କୀୟମାନେ ଶବ ଗାଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ। ଅଭିଯୁକ୍ତମାନଙ୍କୁ୍ ତୁରନ୍ତ ଗିରଫ ନ କରାଗଲେ ଶବଦାହ କରାଯିବ ନାହିଁ ବୋଲି ସେମାନେ ଜିଦ୍ ଧରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ମୋଟେର ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଧର୍ମଗଡ଼ ଏସ୍ଡିପିଓ ଭର୍ସିତା ଆଡେପୁ ଏବଂ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭରତିଆ, ଧର୍ମଗଡ଼ ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ବୁଝାସୁଝା କରିଥିଲେ। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ଏସ୍ଡିପିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଅନ୍ୟପଟେ ପରିବାର ଲୋକେ ଶୀଘ୍ର ହତ୍ୟାକାରୀ ମାନଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେବା ସହ ପ୍ରତିବାଦରୁ ଓହରିଥିଲେ। ପ୍ରକାଶଥାଉ କି, ଘଟଣା କୁ ୫ଦିନ ବିତିଯାଇଥିଲେ ମଧ୍ୟ ମୃତ ଯୁବକଙ୍କ ମୁଣ୍ଡ ଏଯାଏଁ ସମ୍ପୂର୍ଣ୍ଣ ମିଳିପାରିନାହିଁ। ରବିବାର ଲଡୁଗାଁ-ସୁପାଡ ସନ୍ଧି ନାଲାରୁ ପୋଲିସ ମୁଣ୍ଡର କିଛି ଅଂଶ ଜବତ୍ କରିବାବେଳେ ସୋମବାର ମଧ୍ୟ ପୋଲିସ କଟା ମୁଣ୍ଡକୁ ଖୋଜିବା ପାଇଁ ତନାଘନା ଜାରି ରଖିଛି। ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତନତନ ଯାଞ୍ଚ କରୁଥିଲେ ମଧ୍ୟ ହତ୍ୟାକାରୀ ମାନଙ୍କ ସୁରାକ ପାଇପାରୁନାହିଁ। ତେବେ ପୋଲିସର ପ୍ରତିଶ୍ରୁତି କେବେ ସତ ହେଉଛି ଏବଂ ହତ୍ୟାକାରୀମାନେ କେବେ ଆଇନର କବ୍ଜାକୁ ଆସୁଛନ୍ତି, ସେ ଉପରେ ସମସ୍ତଙ୍କ ନଜର ରହିଛି।
