ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଛତ୍ରପୁରସ୍ଥିତ ବାବା ମଠ ନିକଟ ଶିବ ମନ୍ଦିର ପ୍ରାଙ୍ଗଣରେ ଦୁର୍ନୀତି ନିବାରଣ ସାମ୍ବାଦିକ ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଗୋଲାମୁଣ୍ଡା ଅଞ୍ଚଳର ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଗଠିତ ଏହି ସଂଘର ବୈଠକରେ ଅଞ୍ଚଳର ବିଭିନ୍ନ ଜନସମସ୍ୟା, ଦୁର୍ନୀତି ଏବଂ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଗରିବ, ଅସହାୟ ଓ ଶ୍ରମଜୀବୀ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ସମସ୍ୟାଗୁଡ଼ିକୁ ଗଣମାଧ୍ୟମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସଂଘର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସଂଘର ସୁପରିଚାଳନା ଓ କାର୍ଯ୍ୟକଳାପକୁ ନିରପେକ୍ଷ ଭାବେ ଆଗେଇ ନେବା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସେଥିରେ ଯୁଦ୍ଧକ୍ଷେତ୍ର ଡିଜିଟାଲ ନ୍ୟୁଜ୍ ପେପରର ପ୍ରତିଷ୍ଠାତା ସନ୍ତୋଷ କୁମାର ମାଝୀ ସଭାପତି ଏବଂ ସଂଘର୍ଷ ଟିଭିର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଅଭିନ ଚନ୍ଦ୍ର ଟୋଲଟିଆ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସେହିପରି ପବିତ୍ର ନ୍ୟୁଜ୍ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବୈକୁଣ୍ଠ ମାଝୀ ସମ୍ପାଦକ ଏବଂ ଡମ୍ବରୁଧର ଭୋଇ ସହସମ୍ପାଦକ ଭାବେ ଚୟନ ହୋଇଛନ୍ତି। ଟାଇମ୍ସ ଅଫ୍ ଓଡ଼ିଶା ଡିଜିଟାଲ ନ୍ୟୁଜ୍ ପେପରର ପ୍ରତିଷ୍ଠାତା ହିମାଂଶୁ ଭୋଇ, କୋଣାର୍କ ନ୍ୟୁଜ୍ ୨୪ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଭାକର ବଗର୍ତ୍ତୀ ଏବଂ ଶିଶିର ରଞ୍ଜନ ନାଏକ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏଥିସହ ଓଡ଼ିଶା ଖବରର ସାମ୍ବାଦିକ ନିଆମ ମାଝୀ, ଓଡ଼ିଶା ହାଇଲାଇଟ୍ର ସାମ୍ବାଦିକ ପ୍ରତ୍ୟୁଷ ନାଏକ ଏବଂ ପ୍ରେମଲାଲ ମାଝୀଙ୍କୁ ସଂଘର ସଦସ୍ୟ ଭାବେ ଚୟନ କରାଯାଇଛି। ବୈଠକରେ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ନିରପେକ୍ଷ ଖବର ପ୍ରସାରଣ କରିବା, ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଉପସ୍ଥାପନ କରିବା ଏବଂ ଦୁର୍ନୀତି ଓ ଅନିୟମିତତା ସମ୍ପର୍କିତ ଘଟଣାକୁ ତଥ୍ୟଭିତ୍ତିକ ଭାବେ ଲୋକଲୋଚନକୁ ଆଣିବା ନେଇ ସଂଘ ପକ୍ଷରୁ ସଂକଳ୍ପ ନିଆଯାଇଥିଲା।
