ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ବହୁ ଚର୍ଚ୍ଚିତ ଭାଗିରଥି ମାଣ୍ଡା‌ଙ୍ଗି ହତ୍ୟା ମାମଲାରେ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ । ୨୦୧୦ ମସିହା ଡିସେମ୍ବର ୨୩ତାରିଖରେ ଘଟିଥିବା କାଉନସିଲର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାୟଗଡ଼ା କୋର୍ଟରେ ସୋମବାର ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ସାଂସଦ ଏନ୍‌. ଭାସ୍କର ରାଓ। ଶ୍ରୀ ରାଓ ସୋମବାର ରାୟଗଡା ଏସଡିଜେମ୍ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ମାଜିଷ୍ଟ୍ରେଟ୍‌ ତାଙ୍କର ଜାମିନ ଆବେଦନ ନାମଞ୍ଜୁର କରି ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ଭାଗିରଥି ମାଣ୍ଡାଙ୍ଗି ହତ୍ୟା ଘଟଣାରେ ଓଡ଼ିଶା ହାଇକୋର୍ଟ ୨୦୨୬ ମସିହା ଜାନୁଆରି ୨୨ରେ ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହା ବିରୋଧରେ ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍ କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିଦେଇଥିଲେ। ଅଭିଯୁକ୍ତମାନଙ୍କୁ ୨ସପ୍ତାହ ମଧ୍ୟରେ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ‌ନିର୍ଦେଶ ପ୍ରକାରେ ସୋମବାର ଶ୍ରୀ ରାଓ ଏସଡିଜେମ କୋର୍ଟରେ ଆତ୍ମସମର୍ପଣ କରିଥି‌ଲେ । ଏନେଇ ଭାସ୍କର ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ମହକିଲ ଆତ୍ମସମର୍ପଣ କରିଛନ୍ତି। ଖୁବ ଶୀଘ୍ର ଆମେ ଉପର କୋର୍ଟରେ ଜାମିନ ନିମନ୍ତେ ଅବେଦନ କରିବେ। ଏହି ଘଟଣାରେ ଶ୍ରୀ ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତ ଇପିଲି ସନ୍ୟାସି ରାଜୁ, କେ.କ୍ରିଷ୍ଣା ରାଓ ଏବଂ ପି ଦିଲୀପ କୁମାର ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାୟଗଡ଼ା ଥାନାରେ ୨୩ ଡିସେମ୍ବର ୨୦୧୦ରେ ମାମଲା ନମ୍ବର ୨୦୮/୨୦୧୦ ଅନୁଯାୟୀ ଏତଲା ଦାୟର ହୋଇଥିଲା।ଏହି ମାମଲାରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୬୪ (ଅପହରଣ) ଏବଂ ୩୪ ଭଳି ସଂଗୀନ ଦଫା ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି ସିବି ଥାନାରେ ଏହା କେସ୍ ନମ୍ବର ୧୦/୨୦୧୧ ଭାବେ ପୁନଃ ପଞ୍ଜୀକୃତ ହୋଇଥିଲା।

Leave a Reply

Your email address will not be published. Required fields are marked *