ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପାରମ୍ପରିକ ରୀତିନୀତି ଓ ଆଦିବାସୀ ସଂସ୍କୃତିର ନିଆରା ପରମ୍ପରାକୁ ନେଇ ଦିଆଲି ପର୍ବ ଧୂମଧାମରେ ପାଳିତ ହୋଇଯାଇଛି। ଦୀପାବଳିର ପୂର୍ବଦିନ ଅର୍ଥାତ୍ ୭ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଏହି ପର୍ବ ପାଳନ କରାଯାଇଥିଲା। ବିଶେଷକରି ବ୍ଲକର ଅନୁସୂଚିତ ଜାତି ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ନିଜର ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ କରିଥାନ୍ତି। ପର୍ବର ପ୍ରଥମ ଦିନରେ ଗ୍ରାମର ମହିଳାମାନେ ଉପବାସ ରହି ରାତିରେ ରୀତିନୀତି ଅନୁଯାୟୀ ଶୁକ୍ଳ ଭୋଗ ଅର୍ପଣ କରି ପିତୃପୁରୁଷଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦ୍ୱିତୀୟ ଦିନରେ ମହିଳା ଓ ପୁରୁଷ ଉଭୟ ଉପବାସ ରହି ରାତିରେ ଆମିଷ ଭୋଗ ସହ ପୂଜାବିଧି ସମ୍ପନ୍ନ କରିଥିଲେ। ଏହାପରେ ବାଣ ଫୁଟାଇ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରିବା ସହ ଗ୍ରାମବାସୀ ଏକାଠି ହୋଇ ସାମୂହିକ ଭୋଜନ କରିଥିଲେ। ଏହି ପରମ୍ପରାରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଶ୍ରଦ୍ଧା ଓ ଭାଇଚାରାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ତୃତୀୟ ଦିନ ସକାଳେ ପୂର୍ବରାତିର ବଳକା ଭୋଗକୁ ଛୋଟ ପିଲାମାନେ ଏକ ନିର୍ଦ୍ଦିଷ୍ଟ ଜଙ୍ଗଲକୁ ନେଇ ସେଠାରେ ଆହାର କରିଥିଲେ। ପରେ ସେଠାରୁ ଦାନ୍ତକାଠି ଓ ଅଳସି ଫୁଲ ଧରି ଗ୍ରାମକୁ ଫେରିଥିଲେ। ଗାଁରେ ବାଲିଫୁଲ ସ୍ଥାପନ କରି ଗ୍ରାମଦେବୀଙ୍କୁ ଆହ୍ୱାନ କରାଯାଇଥିଲା। ଏହାପରେ ପାରମ୍ପରିକ ବାଜାର ତାଳେତାଳେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରିଥିଲେ। ଘରର ମୁରବିମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନେବା ସହ ଆନନ୍ଦ ଉଲ୍ଲାସରେ ପର୍ବ ପାଳନ କରିଥିଲେ। ଅନ୍ୟପକ୍ଷରେ ଦୀପାବଳି ଅବସରରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ନିଜ ଘରକୁ ରଙ୍ଗବେରଙ୍ଗ ଆଲୋକ ଓ ଦୀପରେ ସଜାଇଥିଲେ। ସନ୍ଧ୍ୟାରେ କେହି କାଉଁରି କାଠି ତ କେହି ଆଖୁ କାଠି ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଡାଙ୍ଗ ଦେଖାଇଥିଲେ। ଏହି ସମୟରେ ଅନ୍ଧାରରୁ ଆଲୋକକୁ ଆସିବା ଓ ପିତୃଲୋକଙ୍କ ସନ୍ତୁଷ୍ଟି କାମନା କରି ପାରମ୍ପରିକ ରୀତିରେ ଦୀପାବଳି ପାଳନ କରିଥିଲେ। ମା’ କାଳୀଙ୍କ ପୀଠକୁ ମଧ୍ୟ ରଙ୍ଗବେରଙ୍ଗ ଆଲୋକ ଓ ସୁନ୍ଦର ତୋରଣରେ ସଜାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପର୍ବରେ ଗ୍ରାମର ପାରମ୍ପରିକ ପଦବୀଧାରୀ ନାଇକ ଲେଲି କନ୍ଧପାଣି, ଘାରି ନାଇକ କାଶପତି ପାଲାକା, ଧାଙ୍ଗଡ଼ାମାଝୀ ବୁଡୁ ବେନିଆ, ଜାଗିଲି କନ୍ଧପାଣି, ଚାମରା କନ୍ଧପାଣି, ବଳରାମ କୌଶଲ୍ୟା, ଅରକ୍ଷିତ କୌଶଲ୍ୟା, କାମେଶ୍ୱର କରକରିଆ, ଲଇଛନ ମହାନନ୍ଦିଆ ଓ ଅଭି ବିଡ଼ିକାଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇ ପର୍ବର ପାରମ୍ପରିକ ମହତ୍ତ୍ୱକୁ ବଜାୟ ରଖିଥିଲେ। ଦିଆଲି ପର୍ବ କେବଳ ଏକ ପର୍ବ ନୁହେଁ, ବରଂ ପିତୃପୁରୁଷଙ୍କ ସ୍ମରଣ, ପରମ୍ପରାର ସୁରକ୍ଷା, ପରିବାରର ଏକତା ଓ ଗ୍ରାମୀଣ ଭାଇଚାରାର ଏକ ନିଆରା ପ୍ରତୀକ ଭାବେ ଅଞ୍ଚଳରେ ପରିଚିତ ହୋଇଆସିଛି।
