ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଆସନ୍ତା ନଭେମ୍ବର ୧୪ ତାରିଖ ଶନିବାର ଦିନ ୨ୟ ବଲବସପୁର ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ବଲବସପୁର ଗାଁରେ ପ୍ରସ୍ତୁତି ଜୋରଦାର ଥିବା ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଲାଗିପଡିଛନ୍ତି। ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବାର ଯୋଜନା ରହିଛି। ବିଦ୍ୟାଳୟ ସ୍ତରରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା, କଣ୍ଠ ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରାମର କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି, ହୁଳହୁଳି, ଶଙ୍ଖବାଦନ, ମ୍ୟୁଜିକ ଚେୟାର ଆଦି ସହିତ ଅନ୍ୟାନ୍ୟ ଫେନସି କାର୍ଯ୍ୟକ୍ରମ ହେବ। ସକାଳେ ଗ୍ରାମର ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ଅଗ୍ନିଭୈରବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ହୋଇ ପ୍ରଥମ ଅଧିବେଶନ ଆରମ୍ଭ ହେବ। ଦ୍ଵିତୀୟ ଅଧିବେଶନରେ କଳାକାର ସମ୍ବର୍ଦ୍ଧନା, ଲୋକକଳା ମଞ୍ଚ ଓ ରାତି ୧୦ଟାରେ ଅନୁଷ୍ଠାନ ପ୍ରଯୋଜିତ ସାମାଜିକ ନାଟକ ‘ଜୁଇରେ କାନ୍ଦୁଛି ଜିଅନ୍ତା ଶବ’ ମଞ୍ଚସ୍ଥ ହେବ। ଏହି ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଅତିଥି ଭାବରେ ମଞ୍ଚମଣ୍ଡନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।
