ଜୟପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି। ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବଡପୁଝାରୀଗୁଡା, ମାଲପଡା ଭାୟା ସୁନାମୁଦୀଗୁଡା ଓ ମୁଡରାଗୁଡା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୮୨ ହଜାର ୬୫୯ ଟଙ୍କା ଅନୁମୋଦିତ ହୋଇଛି। ସେହିପରି ଉଛୁଲା ବାଗଝୋଲାପଡା ଭାୟା ବେହେରନସିଲ ଏବଂ ଖରଭାଡି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ନିମନ୍ତେ ୨ କୋଟି ୫୪ ଲକ୍ଷ ୨୮ ହଜାର ୫୭୬ ଟଙ୍କା ଅନୁଦାନ ମିଳିଛି। ଉଭୟ ରାସ୍ତାର ଶିଳାନ୍ୟାସ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୋଭାଗ୍ୟ ମହାପାତ୍ର, ବରିଷ୍ଠ ନେତା ବଜେନ୍ଦ୍ର ପାଟ୍ଟଯୋଷୀ, ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ, ବଡକର୍ଲାକୋଟ ମଣ୍ଡଳ ପ୍ରଭାରୀ ଜଗମୋହନ ପଟ୍ଟନାୟକ, ପୂର୍ବତନ ଅବକାରୀ କମିଶନର ଛତିଶଗଡ଼ ଗଙ୍ଗାଧର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏହି କ୍ରମରେ ସୁନାମୁଦିଗୁଡ଼ା ଓ ବାଗଝୋଲାପଡ଼ା ଛକଠାରେ ପୃଥକ୍ ପୃଥକ୍ ସଭା ଆୟୋଜିତ ହୋଇଥିଲା। ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଖୁସି ଦେଖିବାକୁ ମିଳିଛି। ଲୋକମାନେ ରାଜ୍ୟ ସରକାର, କଳାହାଣ୍ଡି ସାଂସଦ ଏବଂ ସ୍ଥାନୀୟ ବିଧାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
