ଶିଶୁଙ୍କ ଉତ୍ସାହ ଓ ସୃଜନଶୀଳତାକୁ ଗୁରୁତ୍ୱ ଦେଇ ଗ୍ରୀଣ୍ଡୋଲ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ସାହ ଓ ଆନନ୍ଦର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଶିଶୁକୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବ୍ରହ୍ମା ପ୍ରସାଦ କାଣ୍ଡ ଏବଂ ଗ୍ରୀଣ୍ଡୋଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗଜେନ୍ଦ୍ର ନାଏକ ଉପସ୍ଥିତ ରହି ଶିଶୁ ଦିବସର ମହତ୍ତ୍ୱ ଓ ଶିଶୁଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁମାନଙ୍କ ପ୍ରିୟ ଚାଚା ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପ ଓ ଚନ୍ଦନ ଅର୍ପଣ କରିବା ସହ ପ୍ରାର୍ଥନା କରିଥିଲେ। ପରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଶିଶୁମାନଙ୍କୁ କେବଳ କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀ ଭାବେ ସୀମିତ ନରଖି, ସେମାନଙ୍କ ଦ୍ୱାରା ହିଁ ବିଭିନ୍ନ ପରିଚାଳନାଗତ କାର୍ଯ୍ୟ ସମ୍ପାଦନ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଶିଶୁଙ୍କ ମତାମତ, ଆଗ୍ରହ ଓ ସକ୍ରିୟ ଅଂଶଗ୍ରହଣକୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟରେ ଶିଶୁକୈନ୍ଦ୍ରିକ ଏବଂ ଶିଶୁଙ୍କ ଦ୍ୱାରା ପରିଚାଳିତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସେମାନେ ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସହଶିକ୍ଷକ ନରୋତ୍ତମ ମହାନନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁନିଲ କୁମାର ମୁଣ୍ଡ, ଅଭିରାମ ନାଏକ, ଶିକ୍ଷୟିତ୍ରୀ ସଂଯୁକ୍ତା ରାଉତ ଓ ରାଜଶ୍ରୀ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ। ଶିଶୁଙ୍କ ହସ, ଉତ୍ସାହ ଓ ପ୍ରତିଭାର ପରିପ୍ରକାଶ ମଧ୍ୟରେ ଉତ୍ସବର ପରିସମାପ୍ତି ଘଟିଥିଲା।

Leave a Reply

Your email address will not be published. Required fields are marked *