ସରକାରୀ ସେବା ସ୍ୱପ୍ନକୁ ସାକାର କରିବ ‘ଗଞ୍ଜାମ ଲକ୍ଷ୍ୟ ନିକେତନ’

ଛତ୍ରପୁର/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) ଗଞ୍ଜାମ ଜିଲ୍ଲାର ପ୍ରତିଭାଶାଳୀ ଯୁବକ-ଯୁବତୀମାନଙ୍କୁ ସରକାରୀ ସେବା ପରୀକ୍ଷାରେ ସଫଳ କରାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ “ଗଞ୍ଜାମ ଲକ୍ଷ୍ୟ ନିକେତନ” ନାମକ ଏକ ଫ୍ଲାଗସିପ୍ ପଦକ୍ଷେପ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷିତରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଭି କୀର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ କହିଛନ୍ତି “ଗଞ୍ଜାମ ଲକ୍ଷ୍ୟ ନିକେତନ” ମାଧ୍ୟମରେ UPSC, OPSC ସହ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ୀଙ୍କୁ ନିଃଶୁଳ୍କ, ସଂରଚିତ ଏବଂ ଉଚ୍ଚ ଗୁଣମାନର ମାର୍ଗଦର୍ଶନ ପ୍ରଦାନ କରାଯିବ । ଜିଲ୍ଲାର ତିନୋଟି ଉପଖଣ୍ଡରେ ତିନିଟି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ। ପ୍ରତି କେନ୍ଦ୍ରରେ ୫୦ ଜଣ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ, ଯେଉଁଥିରୁ ୫୦ ପ୍ରତିଶତ ସ୍ଥାନ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। UPSC/OPSC ସହିତ OSSC, SSC ଏବଂ ଆର୍ମି ରିକୃଟମେଣ୍ଟ ରାଲି ପାଇଁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରବେଶ ପରୀକ୍ଷା ଆସନ୍ତା ଜାନୁୟାରୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଆବେଦନର ଶେଷ ତାରିଖ ଜାନୁୟାରୀ ୧୯, ୨୦୨୬ ଧାର୍ଯ୍ୟ କରାଯାଇଛି। ଫେବୃୟାରୀ ମାସରୁ କୋଚିଂ କ୍ଲାସ୍ ଆରମ୍ଭ ହେବ। ଯୋଗ୍ୟ ପ୍ରାର୍ଥୀମାନେ https://lakshya.ganjam360.com/ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।

ପ୍ରଶିକ୍ଷଣର ଅଂଶ ଭାବେ ଲାଇଭ୍ ଇଣ୍ଟରଆକ୍ଟିଭ୍ ସେସନ୍ ସହିତ ଭର୍ଚୁଆଲ୍ କ୍ଲାସରୁମ୍, ନିଃଶୁଳ୍କ ଅଧ୍ୟୟନ ସାମଗ୍ରୀ, ଆଧୁନିକ ପୁସ୍ତକାଳୟ ଓ ଇ-ଲାଇବ୍ରେରୀ ସୁବିଧା ମିଳିବ।

ଏହି ଅବସରରେ “ପ୍ରଗତି ପାଇଁ ପ୍ରତିଜ୍ଞା–୨୦୨୬” କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନୂଆ ବର୍ଷରେ ଫୁଲତୋଡା, ମିଠା ଓ ଉପହାର ଆଣିବାକୁ ଜିଲ୍ଲାପାଳ ବାରଣ କରିଥିବା ସହ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ବ୍ୟବହାର ଏଡ଼ାଇବା, କପଡ଼ା/ଝୋଟ ବ୍ୟାଗ ବ୍ୟବହାର, ଗଛରୋପଣ, ବିଦ୍ୟୁତ୍ ସଞ୍ଚୟ ଓ ସାଇକେଲ୍ କିମ୍ବା ପାଦଚାଳନାକୁ ଗୁରୁତ୍ୱ ଦେବାକୁ ଆହ୍ବାନ ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର କମିଶନର୍  ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ  ଦେବଦତ୍ତ ପଣ୍ଡା, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *