କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଇତି ମଧ୍ୟରେ ରବିବାର ଦିନ ଉଦଯାପିତ ହୋଇ ଯାଇଛି। ଉତ୍ସବ ର ଦ୍ୱିତୀୟ ଓ ଅନ୍ତିମ ସନ୍ଧ୍ୟାରେ ପ୍ରଥମେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ମେଜର ଡ଼. ଜୟଦେବ ସାହୁ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଲେଖିକା ତଥା ପ୍ରସିଦ୍ଧ ଗାଳ୍ପିକା ଯାଜ୍ଞ ସେନୀ ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ପାଠୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଭିକାରୀ ମିଶ୍ର ଯୋଗ ଦେଇଥିଲେ। ପରେ ଅପରାହ୍ନ ୪ ଘଣ୍ଟା ସମୟରେ ଏସ ଏଚ ଜି ମହିଳା ମାନଙ୍କ ପାଇଁ ମ୍ୟୁଜିକ ଚେୟାର ଓ ସମ୍ବଲପୁରୀ ବିଚିତ୍ରା ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଶୀ ଉପସ୍ଥିତ ରହି ବୁଢ଼ାଡଙ୍ଗର ଲୋକ ମହୋତ୍ସବ କଳାହାଣ୍ଡି ର କଳା ସଂସ୍କୃତି ଓ ପରମ୍ପରାର ଅପୂର୍ବ ମିଳନ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବରେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର କୁଳପତି ନିବେଦିତା ନାଥ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ ଯୋଗଦେଇ ଥିବାବେଳେ ସ୍ଵତନ୍ତ୍ର ଅତିଥି ଭାବରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଓ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ଅକ୍ଷୟ ଦାସ। ପରେ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୃଥିବୀ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଲୋକ ଗୀତ, ସମ୍ବଲପୁରୀ ନୃତ୍ୟ, ସୁଦୂର ମୁମ୍ବାଇ ରୁ ଆସିଥିବା ହାସ୍ୟ ତାରକା ରୀୟାନ୍ ଇଣ୍ଡିଆନ ଓ ସେହି ମୁମ୍ବାଇ ରୁ ଆସିଥିବା କଣ୍ଠଶିଳ୍ପୀ ଶ୍ରୀୟାଶ୍ରୀ ଭଟ୍ଟାଚାର୍ଯ୍ୟ, ଓଲିଉଡ ର ସିନେ ତାରକା ଭୂପିନ୍ଦର ସିଂ, ଅନ୍ୟତମ କଣ୍ଠଶିଳ୍ପୀ ମାନସ୍ଵିନ ଓ ରୋଜାଲିନ ଏବଂ ଜେମ୍ସ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବୁଢ଼ାଡଙ୍ଗର ର ଖୋଲା ମଞ୍ଚ ଦୁଲୁକି ଯାଇଥିଲା। ମଦନପୁର ରାମପୁର ବ୍ଲକ ର ମସ୍କାଦାଣ୍ଡି ଗ୍ରାମର ଲଳିତ ମୋହନ ଭୋଇ ଙ୍କୁ ଲୋକକଳା ପାଇଁ ଓ କଳାହାଣ୍ଡି ର କଟପ୍ପା ନାମରେ ପରିଚିତ ଭବାନୀପାଟଣା ର ସୁନିଲ ମହାନନ୍ଦ ଙ୍କୁ ଓ ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରିଥିବା କେସିଙ୍ଗା ତେରାପନ୍ଥ ଯୁବକ ସଂଘ ଓ ଅନ୍ୟ କିଛି ଙ୍କୁ ମଧ୍ୟ ସମ୍ମାନିତ କରିଛି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ।

