ଭବାନୀପାଟଣା-ରାୟଗଡା ମୁଖ୍ୟ ରାସ୍ତାରେ ମାଙ୍କଡ଼ଙ୍କ ଉପଦ୍ରବ

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଆସୁଥିବା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କଦଳୀଘାଟି ଠାରୁ ଢ଼େପଗୁଡା ଘାଟି ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ପୁର୍ଣ ପ୍ରାୟ କୋଡିଏ କି.ମି ରାସ୍ତା ମାଙ୍କଡ଼ମାନଙ୍କ ଚରାଭୂଇଁ ପାଲଟିଛି। ବର୍ଷ ବର୍ଷ ଧରି ଟ୍ରକ ଓ ଚାରିଚକିଆ ଯାନରେ ଯାଉଥିବା ଡ୍ରାଇଭର ଓ ଯାତ୍ରୀମାନେ ମାଙ୍କଡମାନଙ୍କୁ ଶ୍ରଦ୍ଧାରେ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଫଳମୂଳ ଖାଇବାକୁ ଦେଇଆସୁଛନ୍ତି। ଯାହାଫଳରେ ଏହି ରାସ୍ତାରେ ସର୍ବଦା ହଜାର ହଜାର ମାଙ୍କଡ଼ ଜଙ୍ଗଲ ଭିତରକୁ ନଯାଇ ରାସ୍ତା କଡରେ, ରାସ୍ତା ଉପରେ ବୁଲୁଥିବା ଦେଖିବାକୁ ମିଳେ। କିଏ ଖାଇବାକୁ ଦେଲେ ଏକାଥରକେ ଶତାଧିକ ମାଙ୍କଡ଼ ରାସ୍ତା ଜାମ କରି ସେଠାରେ ରୁଣ୍ଡ ହୋଇଥାନ୍ତି। ଯାହା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ଘଟିଥାଏ। ଖାସକରି ଦୁଇ ଚକିଆ ଗାଡି ଚାଳକ ମାନେ ଅଧିକ ହଇରାଣ ହୋଇଥନ୍ତି।ପ୍ରାୟ ଅଧିକାଂଶ ସମୟରେ ଦୁଇଚକିଆ ଚାଳକମାନେ ମାଙ୍କଡ଼ ଆକ୍ରମଣର ଶିକାର ହୋଇଥାନ୍ତି। ମାଙ୍କଡ଼ମାନେ ମଧ୍ୟ ଦ୍ରୁତଗାମୀ ବଡ ଗାଡି ଚକ ତଳେ ଚାପିହେବା ଏକ ଦୈନନ୍ଦିନ ଘଟଣା। ଏହାଛଡା ବଡ଼ ବଡ଼ ଟ୍ରକ ଗୁଡିକ ମଧ୍ୟ ମାଙ୍କଡ଼ ମାନଙ୍କ ପାଇଁ ଭାରସାମ୍ୟ ହରାଇ ଓଲଟିବା ଓ ଡ୍ରାଇଭର ମାନଙ୍କ ଜୀବନ ଯିବା ସାଧାରଣ ଘଟଣା ହୋଇଯାଇଛି। ବର୍ତ୍ତମାନ ଏହି ରାଜ୍ୟରାଜପଥର ବଞ୍ଜାରୀ ଘାଟି ରାସ୍ତାର ପ୍ରଶସ୍ତିକରଣ କାମ ଚାଲିଥିବା ବେଳେ,ଏଥିରେ କାମ କରୁଥିବା କର୍ମଚାରୀ ଏବଂ ମଜୁରିଆ ମାନେ ମଧ୍ୟ ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି। ମାଁ ବଞ୍ଜାରୀଙ୍କ ମନ୍ଦିରକୁ ଲୋକେ ଦର୍ଶନ ପାଇଁ ଆସିଥାନ୍ତି ହେଲେ ବାଟରୁ ନଡ଼ିଆ କଦଳୀ ଛଡେଇ ହେଉଛନ୍ତି। ଏହି ରାସ୍ତାରେ ଅନେକ ଜାଗାରେ ପି. ଡବ୍ଲୁ.ଡ଼ି ତରଫରୁ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ବୋଲି ବୋର୍ଡ ଗୁଡିକ ଲଗାଯାଇଛି। କିନ୍ତୁ ଏହାର ଫାଇଦା ଦେଖିବାକୁ ମିଳୁନାହିଁ। ତେଣୁ ଏନେଇ ବନବିଭାଗ ତରଫରୁ ତତ୍ପରତା ଦେଖାଇ ପେଟ୍ରୋଲିଂ ସହ ଲୋକଙ୍କୁ ସଚେତନ କରାଇଲେ ମଣିଷ ତଥା ମାଙ୍କଡ଼ ସମସ୍ତଙ୍କ ଜୀବନ ରକ୍ଷା ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *