ଜୁନିଅର ମିସ୍ ସାଉଥ୍ ଇଣ୍ଡିଆ ପ୍ରତିଯୋଗିତା – ୨୦୨୫ର ରାୟଗଡାର ଝିଅ ମେଘାଲ ୟାଦବଙ୍କ ସଫଳତା

ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡା ସଦର ଜେ.କେ.ପୁର ସ୍ଥିତ ବିସି ରୋଡ଼ ଅଞ୍ଚଳରେ ରହୁଥ‌ିବା ୧୦ ବର୍ଷୀୟା ମେଘାଲ ୟାଦବ ‘ଲୁକ୍ସ ପେଜାଣ୍ଡ’ ଦ୍ବାରା ଆୟୋଜିତ ଜୁନିଅର ମିସ୍ ସାଉଥ୍ ଇଣ୍ଡିଆ-୨୦୨୫ ପ୍ରତିଯୋଗିତାରେ ରନର୍‌ଅପ୍ ଖୂତାବ ଅଧୂକାର କରି ରାଜ୍ୟ ସହ ଜିଲ୍ଲାକୁ ଗର୍ବିତ କରିଛନ୍ତି। ମେଘାଲ ୟାଦବଙ୍କ ପିତା ଚନ୍ଦ୍ର ଶେଖର ୟାଦବ ଓ ମାତା ଲକ୍ଷ୍ମୀ ୟାଦବ ଅଟନ୍ତି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଗତ ୨୮ ନଭେମ୍ବର ୨୦୨୫ ତାରିଖରେ ବିଶାଖାପଟ୍ଟଣମରେ ଅନୁଷ୍ଠିତ ହୋଇଥିଲା। ଯାହାକୁ କୁନାଲ ମଣ୍ଡାଙ୍କ ଦ୍ବାରା ପରିଚାଳିତ କରାଯାଇଥିଲା। ଏହି ପର୍ଯ୍ୟାୟରେ ମେଘାଲ ତାଙ୍କ ଦକ୍ଷତା ଓ ପ୍ରତିଭାର ପରିଚୟ ଦେଇ ପ୍ରି-ଫାଇନାଲ୍ ପାଇଁ ଚୟନିତ ହୋଇଥିଲେ। ପରେ ହାଇଦ୍ରାବାଦର ୟୁସୁଫଗୁଡ଼ା ସ୍ଥିତ ସୌରୀଆ କନଭେନ୍ସନ୍ ହଲ୍ ରେ ଆୟୋଜିତ ଫାଇନାଲ୍ ପ୍ରତିଯୋଗିତାରେ ଭାଗନେଇ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ଜୁନିଅର ମିସ୍ ସାଉଥ୍ ଇଣ୍ଡିଆ-୨୦୨୫ ରନର୍‌ଅପ୍ ମୁକୁଟ ହାସଲ କରିଛନ୍ତି। ଆଜି ମେଘାଲ ୟାଦବ ତାଙ୍କ ପରିବାର ସହ ଟ୍ରେନ୍‌ ଯୋଗେ ହାଇଦ୍ରାବାଦରୁ ଫେରି ରାୟଗଡା ଜିଲ୍ଲାର ଜେ.କେ.ପୁର ବିସି ରୋଡ଼ରେ ପହଞ୍ଚିଛନ୍ତି। ତାଙ୍କ ଏହି ସଫଳତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖୁବାକୁ ମିଳିଛି। ଛୋଟ ବୟସରେ ଏପରି ବଡ ଉପଲବ୍ଧି ମେଘାଲଙ୍କ ଆଗାମୀ ଭବିଷ୍ୟତ ପାଇଁ ନୂଆ ଦିଗ ଖୋଲିଦେଇଛି ବୋଲି ସମସ୍ତେ ଆଶା ପ୍ରକାଶ କରୁଛନ୍ତି। ମେଘାଲ ୟାଦବଙ୍କୁ ପଚାରିବାରୁ ତାଙ୍କର ଏହି ବିଜୟ ହାସଲ ପଛରେ ତାଙ୍କର ପିତା ଏବଂ ମାତାଙ୍କର ଉତ୍ସାହ ରହିଥ‌ିବା ସେ କହିଥିଲେ |